Categories: ଜାତୀୟ

ଅପରେଶନ ଭୟରେ ଡାକ୍ତରଖାନା ଝରକା ଡେଇଁ ପଳାଇଲେ ଗର୍ଭବତୀ ମହିଳା, ଆଉ ତା’ପରେ

ଜୟପୁର,୧୮।୮: ରାଜସ୍ଥାନର ବାଡମେର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଭାରତ-ପାକ ସୀମାରେ ଅବସ୍ଥିତ ବାରମେର ଜିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଗର୍ଭବତୀ ମହିଳା ଅପରେଶନ ଭୟରେ ଝରକା ପଟେ ଡେଇଁ ପଳାଇଛନ୍ତି। ସମ୍ପର୍କୀୟଙ୍କ ସୂଚନା ପରେ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା। ଡାକ୍ତରଖାନା ପ୍ରଶାସନ କୋଟୱାଲୀ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ମହିଳା ଜଣକ ହସ୍ପିଟାଲଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ହରସାନି ଫାଣ୍ଟା ନିକଟରେ ଧରାପଡିଥିଲେ। ଗର୍ଭବତୀ ମହିଳାଙ୍କୁ ଧରିବା ପରେ ପରିବାର ସଦସ୍ୟ, ଡାକ୍ତରଖାନା ପ୍ରଶାସନ ଏବଂ ପୋଲିସ ଦୀର୍ଘ ନିଶ୍ୱାସ ପକାଇଥିଲେ।
ସୂଚନା ଅନୁଯାୟୀ, ସୁଖ ସିଂଙ୍କ ସ୍ତ୍ରୀ ସରୋଜଙ୍କ ପ୍ରଥମ ପ୍ରସବ ଅପରେଶନ ଦ୍ୱାରା ହେବାର ଥିଲା। ଏଥିପାଇଁ ତାଙ୍କୁ ଜିଲା ଡାକ୍ତରଖାନାର ମାତୃ ଓ ଶିଶୁ ୱିଙ୍ଗରେ ଭର୍ତ୍ତି କରାଯାଇଥିଲା। ସରୋଜ ଅପରେଶନ ଦ୍ୱାରା ପ୍ରସବ ଚାହୁଁ ନ ଥିଲେ। ଅପରେଶନ ନାଁ ଶୁଣି ସେ ବହୁତ ଡରି ଯାଇଥିଲେ। ଅପରେସନ ଭୟରେ ଭୟଭୀତ ହୋଇ ସରୋଜ ବୁଧବାର ସକାଳେ ୱାର୍ଡର ଝରକା ଭିତରେ ଥିବା ଜାଲ କାଢିବା ପରେ ସେଠାରୁ ଡେଇଁପଡିଥିଲେ। ସକାଳ ପ୍ରାୟ ୭ଟାରେ ପରିବାର ଲୋକ ଏହା ବିଷୟରେ ଜାଣିଥିଲେ। ସେ ତୁରନ୍ତ ଜିଲା ଡାକ୍ତରଖାନା ପ୍ରଶାସନ ଏବଂ କୋଟୱାଲୀ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ମହିଳାଙ୍କୁ ଖୋଜା ଆରମ୍ଭ ହୋଇଥିଲା। ପୋଲିସ ମହିଳାଙ୍କୁ ବହୁ ପରିଶ୍ରମ କରି ଜିଲ୍ଲା ଡାକ୍ତରଖାନା ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ହରସାନି ଫାଣ୍ଟା ନିକଟରୁ ଜିଲା ଡାକ୍ତରଖାନାକୁ ଆଣିଥିଲା। ପରେ ମହିଳାଙ୍କ ଚିକିତ୍ସା କରାଯାଉଛି।

Share