ଫ୍ଲାଏ ଓଭର ବ୍ରିଜ୍‌ ତଳ ରାସ୍ତାରେ ଭୟ

ବଡ଼ଚଣା,୨୨।୧(ଡି.ଏନ୍‌.ଏ.): ୧୬ନଂ. ଜାତୀୟ ରାଜପଥ ସଂପ୍ରସାରଣ କରାଯାଇ ୨ରୁ ୪ ଲାଇନ କରାଗଲା। ଜନସାଧାରଣଙ୍କ ସୁବିଧାକୁ ଆଖି ଆଗରେ ରଖି ବଜାର, ଛକ ଏବଂ ମୁଖ୍ୟସ୍ଥଳରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ ହେଲା। ୨୦୧୫-୧୬ରେ ଏହି ପ୍ରକ୍ରିୟା ଶେଷ ହୋଇଥିଲା। ହେଲେ ନିର୍ମାଣ ହୋଇଥିବା ଫ୍ଲାଏ ଓଭର ବ୍ରିଜ ତଳ ରାସ୍ତା ଲୋକଙ୍କ ପାଇଁ ନିରାପଦ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ରାତିରେ ସମ୍ପୂର୍ଣ୍ଣ ଓ ଦିନରେ ଆଂଶିକ ଅନ୍ଧାର ରହୁଥିବା ଏହି ରାସ୍ତାରେ ଛୋଟ,ବଡ଼ ଦୁର୍ଘଟଣା ଘଟୁଛି। ଅନ୍ୟପକ୍ଷେ ଅନ୍ଧାରର ସୁଯୋଗ ନେଇ ସେଠାରେ ଲୁଟ୍‌, ରାହାଜାନୀ ଚାଲିଥିବାରୁ ଏପରି ମତ ପ୍ରକାଶ ପାଇଛି।

ଉପରୋକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ଫ୍ଲାଏ ଓଭରବ୍ରିଜ୍‌ ଛାତ ତଳେ ଲାଇଟ୍‌ ଲଗାଇବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ବ୍ରିଜ ନିର୍ମାଣର ୨ ବର୍ଷ ପରେ ଲାଇଟ୍‌ ଲଗାଇବାକୁ ଆବଶ୍ୟକ ବ୍ୟବସ୍ଥା ହୋଇଥିଲା। ଇତିମଧ୍ୟରେ ୩ ବର୍ଷ ବିତିଛି। ତଥାପି ବିଦ୍ୟୁତ୍‌ ସଂଯୋଗ କରାଯାଇନାହିଁ। ଫଳରେ ଅଧିକାଂଶ ଲାଇଟ ପୋଷ୍ଟ ଭାଙ୍ଗି ଯାଇଛି। କେତେକ ଲାଇଟ୍‌ ପୋଷ୍ଟ ଚୋରି ହୋଇଯାଇଛି। ଏପରି କି ଫ୍ଲାଏ ଓଭର ଛାତ ତଳ ରାସ୍ତାରେ ଚୋରି, ଡକାୟତି, ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି। ଅନ୍ଧକାରର ସୁଯୋଗ ନେଇ ମଦ୍ୟପମାନେ ସେଠାରେ ଆଡ୍ଡା ଜମାଉଛନ୍ତି। ସନ୍ଧ୍ୟା ପରେ ଛାତ୍ରୀଛାତ୍ରମାନେ ସେହି ରାସ୍ତାରେ ଯିବା ଆସିବାକୁ ଡରୁଛନ୍ତି। ବିଶେଷକରି ଗୋବିନ୍ଦପୁର, ନେଳିଆ, ଛତିଆ, ବନ୍ଦାଳ, କଢେଇପୋଲ, ବଡୁଣା, ନେଉଳପୁର ଫ୍ଲାଏ ଓଭରବ୍ରିଜ ତଳ ରାସ୍ତାରେ ବିଦ୍ୟୁତ୍‌ ସଂଯୋଗ କରାଯାଉ ବୋଲି ଛାତ୍ରନେତା ସୁମିତ କୁମାର ମହାନ୍ତି, ଅଭିଷେକ ତ୍ରିପାଠୀ ପ୍ରମୁଖ ଦାବି କରିଛନ୍ତି। ଏଥିରେ ବ୍ୟତିକ୍ରମ ହେଲେ ଆନ୍ଦୋଳନ ସହିତ ରାସ୍ତା ଅବରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।