ଆଣବିକ ଯୁଦ୍ଧ ଆଶଙ୍କା, ଆମେରିକା କିଣୁଛି ଆୟୋଡ଼ିନ ଟାବଲେଟ…

ଓ୍ବାଶିଂଟନ,୧୩।୧୦ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧରେ ଏବେ ଆଣବିକ ଆକ୍ରମଣର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି। ତାଙ୍କର ସୀମା ତଥା ସାବଭୌମତ୍ୱର ସୁରକ୍ଷା ପାଇଁ ସେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରକୁ ହାତଛଡ଼ା କରିବେ ନାହିଁ ବୋଲି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେବା ପରେ ଯୁଦ୍ଧରେ ଆଣବିକ ଆକ୍ରମଣ ହେବା ନେଇ କଳ୍ପନାଜଳ୍ପନା ଜାରି ରହିଛି।

ତେବେ ସମ୍ଭାବ୍ୟ ଆଣବିକ ଆକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ବର୍ତ୍ତମାନ ବହୁ ସଂଖ୍ରକ ଆୟୋଡିନ ଟାବଲେଟ କିଣୁଛି ଯାହା ଆଣବିକ ବିକିରଣକୁ ଏଡାଇବା ପାଇଁ ବ୍ୟବହୃତ ହୋଇଥାଏ। ଷ୍ଟ୍ରାଟେଜିକ ପ୍ରସ୍ତୁତି ଏବଂ ପ୍ରତିକ୍ରିୟା ପାଇଁ ଆମେରିକାର ପ୍ରଶାସନଦ୍ୱାରା ଅକ୍ଟୋବର ୪ରେ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଆମେରିକାର ଦ୍ୱାସ୍ଥ୍ୟ ବିଭାଗ ପୋଟାସିୟମ ଆୟୋଡିଡ ଟାବଲେଟ (ଏନପ୍ଲେଟ) କୁ ବହୁ ପରିମାଣରେ କିଣିବା ଜାରି ରଖିଛି।

ଯଦିଓ ଏହା ସିଧାସଳଖ ୟୁକ୍ରେନ-ରୁଷିଆ ଯୁଦ୍ଧକୁ ସୂଚିତ କରୁ ନାହିଁ, କିନ୍ତୁ ଏହା ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ରେଡିଓଲୋଜିକାଲ ଏବଂ ଆଣବିକ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା କରାଯାଉଛି। ଏଥିରେ ୨୦୦୪ ରେ ଆମେରିକା ସଂସଦରେ ପାରିତ ହୋଇଥିବା ଆଇନକୁ ଦର୍ଶାଇ ରାସାୟନିକ ଏବଂ ଆଣବିକ ଆକ୍ରମଣରୁ ରକ୍ଷା ପାଇବା ପାଇଁ ୨୯୦ନିୟୁତ ଡଲାରର ଅର୍ଥ ଏଥି ପାଇଁ ଯୋଗାଇ ଦିଆଯାଇଛି ବୋଲି କୁହାଯାଇଛି। ଏହାକୁ ଆମେରିକାର ଇତିହାସରେ ଆୟୋଡିନ ଟାବଲେଟର ସବୁଠାରୁ ବଡ କ୍ରୟ ଭାବରେ ବର୍ଣ୍ଣନା କରାଯାଇଛି। ପରମାଣୁ ଜରୁରୀକାଳୀନ କିମ୍ବା ବିକିରଣ କ୍ଷେତ୍ରରେ ରକ୍ତ କଣିକାର କ୍ଷତିରୁ ସୁରକ୍ଷା ପାଇଁ ଏହି ଔଷଧ ବ୍ୟବହୃତ ହୋଇଥାଏ। ଆମେରିକାରେ ଏହା ଜାତୀୟ ସୁରକ୍ଷା ପ୍ରତି ବିପଦର ମୁକାବିଲା ପାଇଁ ଏକ ପ୍ରସ୍ତୁତି ଭାବରେ ଦେଖାଯାଉଛି।

ଫେବୃଆରୀରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅନେକ ଦେଶରେ ପୋଟାସିୟମ ଆୟୋଡାଇଡ ଟାବଲେଟ କ୍ରୟ ବୃଦ୍ଧି ପାଇଛି । ରିପୋର୍ଟ ହୋଇଛି ଯେ ପୋଲାଣ୍ଡ, ବ୍ରିଟେନ ଏବଂ ଫିନଲାଣ୍ଡ ସମେତ ୟୁରୋପୀୟ ୟୁନିଅନର ଅନେକ ଦେଶରେ ଏହି ବଟିକା କ୍ରୟ ଅନେକ ଗୁଣା ବୃଦ୍ଧି ପାଇଛି। ଏହି କାରଣରୁ ଏହାର ମୂଲ୍ୟ ମଧ୍ୟ ଦ୍ୱିଗୁଣିତ ହୋଇଛି।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ଅତ୍ୟଧିକ ବିକିରଣର ସଂସ୍ପର୍ଶରେ ଆସିବା ତୀବ୍ର ବିକିରଣ ସିଣ୍ଡ୍ରୋମ ସୃଷ୍ଟି କରିଥାଏ। ଏହାର ଅନେକ ଲକ୍ଷଣ ଥାଇପାରେ। ଗୁରୁତର ଅବସ୍ଥାରେ ଏହା ଶରୀର ଉପରେ ସାଂଘାତିକ ପ୍ରଭାବ ପକାଇଥାଏ। ଏଥିରେ ଅସ୍ଥି ମଜ୍ଜା ନଷ୍ଟ ହୋଇଯାଏ ଏବଂ ଆଭ୍ୟନ୍ତରୀଣ ରକ୍ତସ୍ରାବ ଆରମ୍ଭ ହୁଏ।

ଏହା ପ୍ରଥମ ଘଟଣା ନୁହେଁ ଯେ ହଠାତ୍‌ ଏହୀ ଟାବଲେଟର ଚାହିଦା ବୃଦ୍ଧି ପାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୧୮ମସିହାରେ ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଆଣବିକ ଯୁଦ୍ଧର ଆଶଙ୍କା ସୃଷ୍ଟି ହେବା ପରେ ମଧ୍ୟ ଏହାର ବିକ୍ରି ବଢ଼ିଥିଲା।

Share