ଶିମ୍ଲା: ହିମାଚଳ ପ୍ରଦେଶର ହମିରପୁର ଜିଲାସ୍ଥିତ ସମ୍ମୁ ଗାଁରେ ଅନେକ ଶହ ବର୍ଷ ଧରି ଦୀପାବଳି ପାଳନ କରାଯାଉ ନାହିଁ। ଦୀପାବଳି ଦିନ ଗ୍ରାମବାସୀ ଦୀପ ଜାଳନ୍ତି ନାହିଁ କି ବାଣ ଫୁଟାନ୍ତି ନାହିଁ । ସେହିପରି ଘରେ ମଧ୍ୟ କୌଣସି ସ୍ବତନ୍ତ୍ର ଖାଦ୍ୟ ରନ୍ଧା ଯାଏ ନାହିଁ ଏବଂ ଲୋକେ କୌଣସି ସ୍ଥାନରେ ଏକତ୍ରିତ ହୁଅନ୍ତି ନାହିଁ। ଲୋକେ ନିଜ ଘରର ଦାଣ୍ଡକୁ ଅନ୍ଧାର କରି ରଖନ୍ତି। ଅନେକ ଶହ ବର୍ଷ ତଳେ ଗାଁକୁ ମିଳିଥିବା ଏକ ଅଭିଶାପ ଯୋଗୁ ସମ୍ମୁ ଗ୍ରାମରେ ଦୀପାବଳି ପାଳନ ହୁଏନାହିଁ ବୋଲି ଗ୍ରାମବାସୀ କହିଛନ୍ତି।
ବାସିନ୍ଦା ବିଧି ଚାନ୍ଦ କହିଛନ୍ତି, ଅନେକ ଶହ ବର୍ଷ ପୂର୍ବେ ସମ୍ମୁ ଗ୍ରାମର ଜଣେ ଗର୍ଭବତୀ ମହିଳା ଦୀପାବଳି ପାଳନ କରିବା ପାଇଁ ତାଙ୍କ ବାପ ଘରକୁ ଯାଉଥିଲେ। ତାଙ୍କ ସ୍ବାମୀ ରାଜାଙ୍କ ଦରବାରରେ ସୈନିକ ଥିଲେ। ଗାଁଠାରୁ ଅଳ୍ପ ଦୂରରେ ପହଞ୍ଚିଥିବା ବେଳେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ସେ ଜାଣିବାକୁ ପାଇଥିଲେ। ସ୍ବାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ସେ ତାଙ୍କ ଚିତାକୁ ଡେଇଁ ପଡ଼ିଥିଲେ। ତେବେ ବିଶ୍ୱାସ ଅନୁଯାୟୀ, ମୃତ୍ୟୁପୂର୍ବରୁ ମହିଳା ଜଣକ ସମଗ୍ର ଗାଁକୁ ଅଭିଶାପ ଦେଇ କହିଥିଲେ, ସମ୍ମୁ ଗ୍ରାମର ଗ୍ରାମବାସୀ ଆଗାମୀ ୭ ପିଢ଼ି ପର୍ଯ୍ୟନ୍ତ ଦୀପାବଳି ପର୍ବକୁ ଖୁସିରେ ପାଳନ କରିପାରିବେ ନାହିଁ। ସେବେଠାରୁ ଗାଁର ଲୋକମାନେ ଦୀପାବଳି ପର୍ବକୁ ପାଳନ କରିବାକୁ ଭୟ କରନ୍ତି। ଗାଁର ଯେଉଁମାନେ ଦୀପାବଳି ପାଳନ କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ଘରେ ନିଆଁ ଲାଗିଯାଇଥାଏ କିମ୍ବା ସେମାନଙ୍କର କୌଣସି ପରିବାର ସଦସ୍ୟ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁମୁଖରେ ପଡ଼ିଥାନ୍ତି।
Dharitri – Odisha’s No.1 Odia Daily


