ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ):ତାତି ବଢ଼ି ଚାଲିଛି। ଗୁଳୁଗୁଳି ମଧ୍ୟ ଅସହ୍ୟ ହୋଇ ପଡୁଛି। ଏଭଳି ସ୍ଥିତିରେ ଉଭୟ ଘରେ ଏବଂ ବାହାରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। ଅନ୍ୟପଟେ ବେଳେବେଳେ ବିଦ୍ୟୁତ୍ କାଟ୍ ଏହାକୁ ଆହୁରି ଅସମ୍ଭାଳ କରି ପକାଉଛି। ବରଗଡ଼ ଜିଲାରେ ଗତ କିଛିଦିନ ହେଲା ଏଭଳି ଅନୁଭୂତ ହେଉଛି। ଏଭଳି ଲାଗି ରହିଲେ ଆଗକୁ ଅଂଶୁଘାତ ଭୟ ରହିଛି।
ଦିନ ଯେଭଳି ଗଡ଼ି ଚାଲିଛି। ଜିଲାରେ ତାପମାତ୍ରା ସେଭଳି ବଢ଼ି ଚାଲିଛି। ସୋମବାର ଜିଲାର ତାପମାତ୍ରା ୩୯.୬ ରେକର୍ଡ଼ କରାଯାଇଛି। ପୂର୍ବାହ୍ନ ୧୦ଟାରୁ ତାତି ଅଧିକ ଅନୁଭୂତ ହେଉଛି। ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ରାସ୍ତାଘାଟ ଏକ ପ୍ରକାର ଶୂନଶାନ ହୋଇ ପଡୁଛି। ସନ୍ଧ୍ୟା ୬ଟା ହେଲେ ତାତିର ପ୍ରଭାବ କିଛି କମିଥିବା ଅନୁଭୂତ ହେଉଛି। ଯିଏ ବି ଘରୁ ପଦାକୁ ବାହାରୁଛନ୍ତି, ମୁଣ୍ଡରେ ଗାମୁଛା କିମ୍ବା ଟୋପି ଘୋଡ଼ାଇ ନ ହେଲେ ସେମାନଙ୍କୁ ତାତିରୁ ନିସ୍ତାର ପାଉ ନାହାନ୍ତି। ସେଭଳି ଅନେକ ଛତାର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ସେହିପରି ଜିଲାର ବିଭିନ୍ନ ସ୍ଥାନରେ ରହିଥିବା ଅନେକ ଥଣ୍ଡା ପାନୀୟଜଳ ପ୍ରକଳ୍ପ ମଧ୍ୟ ଅଚଳ ହୋଇ ପଡ଼ିଛି। ଜଳଛତ୍ର ଖୋଲାଯାଇ ଥିଲେ ମଧ୍ୟ ଏଭଳି ସ୍ଥିତିରେ ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଲୋକେ କହୁଛନ୍ତି। ଅନ୍ୟପଟେ ରାସ୍ତାକଡ଼ ଫୁଟ୍ପାଥ୍ରେ ଲାଗିଥିବା ଆଖୁରସ, ସରବତ୍, ଦହିବରା ଠେଲାରେ ଭିଡ଼ ପରିଲକ୍ଷିତ ହେଉଛି। ସେହିପରି ପରିବା ବଜାରରେ ଲେମ୍ବୁ, ତରଭୁଜ ମଧ୍ୟ ମହଙ୍ଗା ହୋଇ ପଡୁଛି। ଲେମ୍ବୁ ଗୋଟିକୁ ୫ଟଙ୍କାରେ ବିକ୍ରି ହେଉଥିବାବେଳେ ତରଭୁଜ କିଲୋ ପ୍ରତି ୨୫ରୁ ୩୦ଟଙ୍କାକୁ ଛୁଇଁଲାଣି।
ଟାଣଖରାରେ ଆଶ୍ରୟ ନେବା ପାଇଁ ଏଥର ଜନଗହଳି ତଥା ମୁଖ୍ୟଛକ ଗୁଡ଼ିକରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇ ଥିବା ଦେଖାଯାଉ ନାହିଁ। କିଏ ଗଛମୂଳେ ତ ଆଉ କେହି କୌଣସି ଦୋକାନ ବାରଣ୍ଡା ଛାତତଳେ ଆଶ୍ରୟ ନେଉଥିବା ପରିଲକ୍ଷିତ ହେଉଛି। ଏପରିକି ବରଗଡ଼ ସହର ଗାନ୍ଧିଛକ ସମେତ ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ମଧ୍ୟ ଛାଉଣୀ ନାହିଁ। ଦିନ ଦ୍ୱିପ୍ରହର ଟାଣଖରାରେ ପେଟ୍ରୋଲ ପମ୍ପ ଗୁଡ଼ିକରେ ଅସହ୍ୟ ତାତିରେ ଲୋକେ ସେମାନଙ୍କ ଗାଡ଼ିରେ ତେଲ ପକାଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ବରଗଡ଼ ପୋଲିସ ସହରର ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ଛାଉଣୀ ବ୍ୟବସ୍ଥା କରିଛି। ତେବେ ତାତି ମୁକାବିଲା ପାଇଁ ଏବେଠାରୁ ସଜାଗ ନହେଲେ ଆଗକୁ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼ିବା ସହିତ ଅଂଶୁଘାତ ଜନିତ ମୃତ୍ୟୁକୁ ମଧ୍ୟ ଏଡ଼ାଇ ଦେଇ ହେଉ ନାହିଁ। ଫଳରେ ଏ ଦିଗରେ ଜିଲା ପ୍ରଶାସନ ତ୍ୱରିତ୍ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।


