କାଉଡ଼ିଆଙ୍କ ଭୟ କେନାଲବନ୍ଧ ରାସ୍ତା

ରଘୁନାଥପୁର,୨୫ା୭ (ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ଜମୁଛି। ତେବେ ପୀଠକୁ ଆସିବା ପାଇଁ ରାହାଡ଼ିଙ୍ଗା ଜଳସେଚିତ କେନାଲ ବନ୍ଧ ରାସ୍ତାକୁ ସଫା କରାଯାଇ ନଥିବାରୁ କାଉଡିଆଙ୍କ ଜଳ ଲାଗି ଯାତ୍ରାରେ ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଛୋଟ ଛୋଟ ଗଛ ଓ ଲଟାବୁଦା ସବୁ ରାସ୍ତା ଉପରକୁ ମାଡି ଆସିଛି। ଏଥିସହ ରାସ୍ତାଟି ଖାଲଖମାରେ ଭରି ରହିଛି।
ଏନେଇ ଅନ୍ଧାରୁଆ ବର୍ଷା ରାତିରେ କାଉଡ଼ିଆଙ୍କ ଯାତ୍ରା ସମୟରେ କୀଟ ଓ ସରୀସୃପଙ୍କ ଭୟ ରହିଛି ବୋଲି କେତେଜଣ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେହିପରି ପୀଠ ପକ୍ଷରୁ ରାତ୍ରିରହଣି ପାଇଁ ଓଟିଡିସି ଘର ନିକଟରେ ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମାତ୍ର ଏଠାରେ ଲଗାଯାଇଥିବା ଟେଣ୍ଟ ଚତୁଃପାର୍ଶ୍ୱ ଓ ପୀଠ ପ୍ରବେଶ ପଥ ପାଣି କାଦୁଅରେ ଭରି ରହିଛି। ଏନେଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏଥିଯୋଗୁ ରାତ୍ରିଯାପନ ପାଇଁ ଦୂରଦୂରାନ୍ତରରୁ ଆସିଥିବା ବ୍ୟକ୍ତିମାନେ ଏଣେତେଣେ ତଥା ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳୁଛି। ପୀଠ କାର୍ଯ୍ୟାଳୟ ପକ୍ଷରୁ ଚଳିତବର୍ଷ କାଉଡ଼ିଆଙ୍କ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯିବା ପାଇଁ ସ୍ଥିର ହୋଇଥିଲା। ଏନେଇ ଆଲୋକ, ପାନୀୟଜଳ, ଫାଷ୍ଟେଡ୍‌ ସୁବିଧା, ପରିମଳ ବ୍ୟବସ୍ଥା କରାଯିବା ସହ ରାସ୍ତାଘାଟ ପରିଷ୍କାର କରାଯାଇ ଆଇନଶୃଙ୍ଖଳା ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ମାତ୍ର ଦୂରଦୃଷ୍ଟିର ଅଭାବ ଯୋଗୁ ଉକ୍ତ କେନାଲ ବନ୍ଧ ରାସ୍ତା ସଫା କରାଯାଇନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ଏହାଛଡ଼ା ପୀଠ ପରିସର ଚତୁଃପାର୍ଶ୍ୱରେ ଥିବା ଆବର୍ଜନାକୁ ପରିଷ୍କାର ଭାବେ ସଫା କରାଯାଇଥିଲେ, ବର୍ଷା ହେଲେବି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇନଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଆଗକୁ ଆଉ ଦୁଇଟି ସୋମବାର ଥିବାରୁ କାଉଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି। ପୀଠ ପ୍ରଶାସନ ଏଥିପ୍ରତି ସଚେତନ ହେବା ସହ ଆଗକୁ ଯୁଧ୍ୟକାଳୀନ ଭିତ୍ତିରେ ଏସବୁ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ପୀଠ କାର୍ଯ୍ୟନିର୍ବାହୀ ଅଧିକାରୀ ଶୌର୍ଯ୍ୟରଞ୍ଜନ ପରିଜା କୁହନ୍ତି, ରାସ୍ତାଘାଟ ସଫା ପାଇଁ ମେଶିନ ବ୍ୟବସ୍ଥା ହୋଇଥିଲା। ଏସବୁ ଅସୁବିଧା ସମସ୍ୟା ସମ୍ପର୍କରେ ପୁନର୍ବାର ଦୃଷ୍ଟି ଦିଆଯାଇ ତୁରନ୍ତ ପଦକ୍ଷେପ ନିଆଯିବ।