୧୧୨୦ ଦୋକାନରେ ମିଳିବ ଫାଭିପିରାଭିର୍‌

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): କରୋନା ଆକ୍ରାନ୍ତ ଚିକିତ୍ସା କ୍ଷେତ୍ରରେ ଫାଭିପିରାଭିର୍‌ ଔଷଧ ବ୍ୟବହାର କରାଯାଉଛି। ବିଶେଷକରି ହାମ୍‌ କ୍ୱାରାଣ୍ଟାଇନରେ ଥିବା ସଂକ୍ରମିତମାନେ ଏହି ଔଷଧ ଖାଇବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସରକାରୀ ସ୍ତରରେ ଫାଭିପିରାଭିର୍‌ ଟାବଲେଟ୍‌ ଦିଆଯାଉଥିବାବେଳେ ଡ୍ରଗ୍ସ ଓ କସ୍‌ମେଟିକ୍ସ ଆଇନ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ଔଷଧ ଦୋକାନରେ ବିକ୍ରି ପାଇଁ ମଧ୍ୟ ଅନୁମତି ମିଳିଛି। ପୂର୍ବରୁ ରାଜ୍ୟର ୩ଶହଟି ଲାଇସେନ୍ସପ୍ରାପ୍ତ ଦୋକାନରେ ଫାଭିପିରାଭିର୍‌ ଉପଲବ୍ଧ ହୋଇଥିବାବେଳେ ଏବେ ଏହି ସଂଖ୍ୟା ୧୧୨୦କୁ ବୃଦ୍ଧି କରାଯାଇଛି। ଏନେଇ ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯିବା ସହ ନୂଆ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି।
ତେବେ କେଉଁ ସ୍ଥାନରେ କେତେ ସଂଖ୍ୟକ ଔଷଧ ଦୋକାନରେ ଏହା ଉପଲବ୍ଧ ହେବ ତାହା ନିର୍ଦ୍ଦେଶାଳୟ ପକ୍ଷରୁ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଅତି ବେଶିରେ ୪୦ଟି ଲେଖାଏ ଔଷଧ ଦୋକାନରେ ଫାବିଫିରାଭିର୍‌ ଉପଲବ୍ଧ ହେବ। ସେହିପରି ଅନୁଗୋଳ, ମୟୂରଭଞ୍ଜ ଓ ସମ୍ବଲପୁର ଜିଲାରେ ସର୍ବାଧିକ ୬୦ଟି ଲେଖାଏ ଦୋକାନରେ ଏହି ଔଷଧ ବିକ୍ରି ପାଇଁ ଅନୁମତି ମିଳିଥିବାବେଳେ ସୁନ୍ଦରଗଡ଼, ବଲାଙ୍ଗୀର ଓ ଢେଙ୍କାନାଳରେ ୫୦ ଲେଖାଏ, ବାଲେଶ୍ୱର, କଳାହାଣ୍ଡି, କେନ୍ଦୁଝର ଓ ବରଗଡ଼ରେ ୪୦ ଲେଖାଏ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ନୟାଗଡ଼, ପୁରୀ, ଭଦ୍ରକ ଓ ସୋନପୁରରେ ୩୦ଟି ଲେଖାଏ, ଫୁଲବାଣୀ ଓ ରାୟଗଡ଼ାରେ ୨୫ ଲେଖାଏ, କଟକ, ଖୋର୍ଦ୍ଧା ଓ ଗଞ୍ଜାମରେ ୨୦ ଲେଖାଏ, ଗଜପତି, ମାଲକାନଗିରି, ନୂଆପଡ଼ା ଓ ନବରଙ୍ଗପୁରରେ ୧୫ ଲେଖାଏ ଏବଂ ବୌଦ୍ଧ ଓ ଦେବଗଡ଼ରେ ସର୍ବାଧିକ ୧୦ଟି ଲେଖାଏ ଔଷଧ ଦୋକାନରେ ଫାଭିପିରାଭିର୍‌ ଔଷଧ ବିକ୍ରି ହୋଇପାରିବ। କେଉଁ ଔଷଧ ଦୋକାନକୁ ଏଥିପାଇଁ ଅନୁମତି ଦିଆଯିବ ଡ୍ରଗ୍ସ ଇନ୍ସପେକ୍ଟରମାନେ ତାହା ଚିହ୍ନଟ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।