ଭଞ୍ଜନଗର,୭।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପୋଲିସ ନିୟୋଜିତ ହୋଇନଥିଲେ। ଅନ୍ୟପଟେ ଯାତ୍ରା ଦେଖିବାକୁ ଆସୁଥିବା ଲୋକେ ମଧ୍ୟ ଟ୍ରାଫିକ ନିୟମ ମାନୁନାହାନ୍ତି। ନିୟମ ଅନୁସାରେ ରାସ୍ତାରେ ଯାତାୟାତ କରୁନାହାନ୍ତି। ଆଗୁଆ ପଳାଇବା ଲକ୍ଷ୍ୟରେ ଲୋକେ ଟ୍ରାଫିକ ନିୟମ ଭାଙ୍ଗି ବିପରୀତ ଦିଗରୁ ଆସୁଥିବା ଯାନବାହାନ ରାସ୍ତାରେ ଯାତାୟାତ କରିବା ପାଇଁ ଚେଷ୍ଟା କରନ୍ତି ।
ଫଳରେ ବିପରୀତ ଦିଗରୁ ଆସୁଥିବା ଲୋକେ ଆଗକୁ ବଢିପାରନ୍ତି ନାହିଁ। ଯେଉଁଥିପାଇଁ ଲୋକେ ସହରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ନେଇ ବିଭିନ୍ନ ଆଡୁ ଅଭିଯୋଗ ହେବାପରେ ପୋଲିସ ମଧ୍ୟ କେତେକ ସ୍ଥାନରେ କଡ଼ା ଆଭିମୁଖ୍ୟ ଆପଣାଇଥିବା ଜଣାପଡିଛି । ଆଜି ବସଷ୍ଟାଣ୍ଡ ରାସ୍ତା, ବେଲଗୁଣ୍ଠା ରୋଡ, ଜେଲ ରୋଡ଼ରେ ଟ୍ରାଫିକ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଉକ୍ତ ରାସ୍ତାରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇଥିବାବେଳେ ବହୁ ସମୟ ପରେ ଦୁଇଜଣ ପୋଲିସ କର୍ମଚାରି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆସିଥିଲେ। କିନ୍ତୁ ଭିଡ ଏଭଳି ହୋଇଥିଲା ଯେ, ଉକ୍ତ ଦୁଇ ପୋଲିସ କର୍ମଚାରୀ ଅସହାୟ ଅବସ୍ଥାରେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଚେଷ୍ଟା କରୁଥିଲେ। ଯାତ୍ରା ସରିବା ଯେତେ ନିକଟତର ହେଉଛି ସେହି ଅନୁପାତରେ ଭିଡ ବଢ଼ୁଛି। ଯାତ୍ରାର ଭିଡକୁ ଦେଖି ପୋଲିସ କିମ୍ବା ଯାତ୍ରା କମିଟି ପକ୍ଷରୁ ଦୈନନ୍ଦିନ ଟ୍ରାଫିକ ନିର୍ଦ୍ଦେଶାବଳୀ ଜାରି କରିବାର ଥିଲା।
ଅନ୍ୟପଟେ ଠାକୁର ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତାରେ ଏକ ଘଣ୍ଟା ପୁର୍ବରୁ ଟ୍ରାଫିକ କଟକଣା କରିଥିଲେ ଭଲ ହୁଅନ୍ତା। କିନ୍ତୁ ପୋଲିସ ବହୁ ସମୟ ପୂର୍ବରୁ କଟକଣା ଲାଗୁ କରିଦେଉଛି। ଫଳରେ ସହରର ଅନେକ ପ୍ରମୁଖ ରାସ୍ତା ଗୁଡ଼ିକ ସଂଧ୍ୟା ୬ଟାରୁ ବନ୍ଦ ହୋଇଯାଉଛି। ପ୍ରମୁଖ ରାସ୍ତା ଗୁଡ଼ିକ ଯାନବାହନ ଚଳାଚଳ ବନ୍ଦ ହେବାଦ୍ୱାରା ଅନ୍ୟ ରାସ୍ତା ଗୁଡ଼ିକରେ ଏକା ସମୟରେ ଅଧିକ ଗାଡି ଚଳପ୍ରଚଳ କଲେ ଟ୍ରାଫିକ ସମସ୍ୟା ହେଉଛି। ତେଣୁ ଯାତ୍ରାର ଭିଡକୁ ଦେଖି ଆଉ କିଛି ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ସହରରେ ମୁତୟନ କରାଯିବା ସହ ଆଗୁଆ ଟ୍ରାଫିକ ନିୟନ୍ତ୍ରଣ ନିର୍ଦ୍ଦେଶନାମା ଜାରି କରାଯିବାର ଆବଶ୍ୟକତା ରହିଛି। ଏଥିସହ ଠାକୁର ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତାକୁ ଛାଡ଼ି ଦେଲେ ଅନ୍ୟ ରାସ୍ତା ଗୁଡିକୁ ଗମନା ଗମନ ପାଇଁ ଉନ୍ମୁକ୍ତ ରଖିବାର ଆବଶ୍ୟକତା ରହିଛି। ଏଥିସହ ମୀନାବଜାର, ଅପେରା, ସର୍କସ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିବା ସ୍ଥଳ ଗୁଡ଼ିକରେ ମଧ୍ୟ ଅସମ୍ଭାଳ ଭିଡ ପରିଲକ୍ଷିତ ହେଉଛି। ସେଠି ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବାର ଆବଶ୍ୟକତା ରହିଛି। ନଚେତ୍ ଭବିଷ୍ୟତରେ ଭିଡ ପାଇଁ କିଛି ଅଘଟଣ ଘଟିବା ଆଶଙ୍କା ରହିଛି। ତେଣୁ ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।