କୁଚିଣ୍ଡା,୨୮।୭(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ଧୂଡିପାଲି ପଞ୍ଚାୟତ ମନାପାଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର ଟାଙ୍ଗିଆ ବେଣ୍ଟ ମାଡ଼ରେ ବାପା ଧନେଶ୍ୱର ଭୋଇ(୬୫)ଙ୍କ ମୃତ୍ୟୁ ଘଟିଛି। କୁଚିଣ୍ଡା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ଗୋବିନ୍ଦ ଭୋଇ(୪୫)ଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ ବାପ-ପୁଅଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ଗୋବିନ୍ଦ ବାପାଙ୍କୁ ଟାଙ୍ଗିଆ ବେଣ୍ଟରେ ମାଡ଼ ମାରିଥିଲେ। ପୁଅର ଆକ୍ରମଣରେ ଧନେଶ୍ୱର ଲହୁଲୁହାଣ ହୋଇ ଗୁରୁତର ହୋଇଥିଲେ। ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ଧନେଶ୍ୱରଙ୍କୁ ବୁର୍ଲା ଭିମସାର ମେଡ଼ିକାଲକୁ ପଠାଇ ଥିଲେ।
୧୦୮ ଆମ୍ବୁଲାନ୍ସରେ ବୁର୍ଲା ନେବା ବାଟରେ ଲଇଡା ନିକଟରେ ଧନେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଧନେଶ୍ୱରଙ୍କ ମୃତଦେହ ମଙ୍ଗଳବାର ଲଇଡା ଡାକ୍ତରଖାନାରେ ବ୍ୟବଚ୍ଛେଦ ହୋଇଛି। କୁଚିଣ୍ଡା ଥାନା ଆଇଆଇସି ରାଧାକାନ୍ତ ବାରିକ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଛନ୍ତି।

