Categories: ଜାତୀୟ

ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ବାପା; ପୁଅ ହେଲା ଆଇଏଏସ୍‌

ଇନ୍ଦୋର, ୪।୮: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ୨୦୧୯ର ଫାଇନାଲ ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଇନ୍ଦୋରର ପ୍ରଦୀପ ସିଂ ୨୬ତମ ର଼୍ୟାଙ୍କ ହାସଲ କରିଛନ୍ତି। ପ୍ରଦୀପଙ୍କ ପିତା ପେଟ୍ରୋଲ ପମ୍ପରେ କାମ କରୁଛନ୍ତି। ଏହି ସଫଳତାରେ ପ୍ରଦୀପଙ୍କ ପରିବାର ସମେତ ସାରା ସହରରେ ଖୁସିର ଲହରି ଖେଳି ଯାଇଛି। ପ୍ରଦୀପ ପୂର୍ବରୁ ୨୦୧୮ରେ ମଧ୍ୟ ୟୁପିଏସ୍‌ସି ପରୀକ୍ଷା ଦେଇଥିଲେ। କିନ୍ତୁ ର଼୍ୟାଙ୍କ ଭଲ ନ ଆସିବାରୁ ତାଙ୍କୁ ଇଣ୍ଡିଆନ ରେଭିନ୍ୟୁ ସର୍ଭିସରେ ନିଯୁକ୍ତି ମିଳିଥିଲା। ବର୍ତ୍ତମାନ ସେ ଇନ୍‌କମ୍‌ ଟ୍ୟାକ୍ସ ଅଫିସରେ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟ କରୁଛନ୍ତି। ଏହି ସଫଳତା ପାଇଁ ସମସ୍ତ ଶ୍ରେୟ ପ୍ରଦୀପ ନିଜ ବାପାଙ୍କୁ ଦେଇଛନ୍ତି। ପ୍ରଦୀପ କହିଛନ୍ତି, ୨୦୧୮ରେ ପରୀକ୍ଷା ଦେଇଥିଲି। କିନ୍ତୁ ସେତେବେଳେ ମୋତେ ୯୩ ର଼୍ୟାଙ୍କ ମିଳିଥିଲା। ସେହିବର୍ଷ ୯୨ ର଼୍ୟାଙ୍କ ପର୍ଯ୍ୟନ୍ତ ପିଲାଙ୍କୁ ଆଇଏଏସ୍‌ ମିଳିଥିଲା। ଫଳରେ ଗୋଟିଏ ର଼୍ୟାଙ୍କ ଲାଗି ମୋ ସ୍ବପ୍ନ ପୂରଣ ହୋଇପାରି ନ ଥିଲା। ଚଳିତ ଥର ମୋତେ କିନ୍ତୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା।’ ଏଠାରେ ଉଲ୍ଳେଖଯୋଗ୍ୟ ପ୍ରଦୀପଙ୍କ ବାପା ୧୯୯୧ରେ ଇନ୍ଦୋର ଆସିଥିଲେ। ଏଠାରେ ସେ ଏକ ପେଟ୍ରୋଲ ପମ୍ପରେ କାମ କରନ୍ତି। ଏହାପରେ ସେ ନିଜ ସଞ୍ଚୟରୁ ଇନ୍ଦୋରରେ ଏକ ଘର ତିଆରି କରିଥିଲେ। କିନ୍ତୁ ୨୦୧୭ରେ ପ୍ରଦୀପ ଯେତେବେଳେ ୟୁପିଏସ୍‌ସି କୋଚିଂ ନେବା ପାଇଁ ନୂଆଦିଲ୍ଲୀ ଯାଇଥିଲେ ସେହି ସମୟରେ ଅର୍ଥାଭାବ ଦେଖାଦେଇଥିଲା। ଯେଉଁଥି ପାଇଁ ତାଙ୍କ ବାପା କୋଚିଂ ଖର୍ଚ୍ଚ ଦେବା ଲାଗି ସେହି ଘରକୁ ବିକି ଦେଇଥିଲେ।

Share