ବାପାଙ୍କୁ ଆଜୀବନ କାରାଦଣ୍ଡାଦେଶ

ସୁନ୍ଦରଗଡ଼,୯।୧୦(ଡି.ଏନ୍‌.ଏ.): ନାବାଳିକା ସାବତ ଝିଅକୁ ୪ବର୍ଷ ଧରି ବଳାତ୍କାର କରିବା ମାମଲାରେ ଅଭିଯୁକ୍ତ ସାବତ ବାପାଙ୍କୁ ସୁନ୍ଦରଗଡ଼ ପକ୍‌ସୋ ଅଦାଲତ ଶୁକ୍ରବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାଉରକେଲାରେ ୨୦୧୩ ଅଗଷ୍ଟ ୬ରେ ହୋଇଥିବା ଏହି ମାମଲାର ବିଚାରକରି ସୁନ୍ଦରଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ପକ୍‌ସୋ ଅଦାଲତର ପ୍ରିଜାଇଡିଂ ଅଫିସର ପାର୍ଥସାରଥି ପଟ୍ଟନାୟକ ଏହି ରାୟ ଶୁଣାଇଛନ୍ତି। ଅଦାଲତ ଅଭିଯୁକ୍ତଙ୍କୁ ୧୦ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୧ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପୀଡ଼ିତା ନାବାଳିକାଙ୍କୁ ୫ଲକ୍ଷ ଟଙ୍କା ପ୍ରଦାନ କରିବା ନିମନ୍ତେ ସୁନ୍ଦରଗଡ଼ ଜିଲା ଆଇନସେବା ପ୍ରାଧିକରଣଙ୍କୁ ସୁପାରିଶ କରିଛନ୍ତି।
ପୀଡ଼ିତା ନାବାଳିକା ରାଉରକେଲାର ଏକ ସ୍କୁଲରେ ଛାତ୍ରୀ ଥିଲେ। ହେଲେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ମାଆ ଆଉ ଜଣେ ଯୁବକଙ୍କୁ ବିବାହ କରିଥିଲେ। ହେଲେ ସାବତ ବାପା ନାବାଳିକାଙ୍କୁ ଧମକଚମକ ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ସାବତ ବାପାଙ୍କ ଏଭଳି ଆଚରଣରେ ଅତିଷ୍ଠ ହୋଇ ନାବାଳିକା ଜଣକ ଅନେକ ଥର ସ୍କୁଲରୁ ଫେରି ତାଙ୍କର ଜଣେ ସହପାଠୀଙ୍କ ଘରେ ରହିଯାଇଥାଆନ୍ତି। ଏଭଳି ପରିସ୍ଥିତିରେ ନାବାଳିକା ଜଣକ ପର ଘରେ କାମକରି ସ୍କୁଲରେ ପାଠପଢିଥାଆନ୍ତି। ସାବତ ବାପା ୨୦୧୩ ଅଗଷ୍ଟ ୬ରେ ସ୍କୁଲକୁ ଯାଇ ସାବତ ଝିଅକୁ ଘରକୁ ଯିବା ପାଇଁ ବାଧ୍ୟ କରିବାରୁ ନାବାଳିକା ଜଣକ କାନ୍ଦି ମନା କରିଥିଲେ। ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଘଟଣାସମ୍ପର୍କରେ ଜଣାଇଥିଲେ। ଏହା ପରେ ପ୍ରଧାନଶିକ୍ଷକ ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ରିପୋର୍ଟ କରିବା ପରେ ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ପକସୋ ଅଦାଲତର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ।