ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ । ପୁଅ ଆଖି ସାମ୍ନାରେ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୬୫ ବର୍ଷୀୟ ବୃଦ୍ଧ ବାପା। ଏଭଳି ଦୁଃଖଦ ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅଞ୍ଚଳର କଳିସା ପଦର ଗ୍ରାମ ନିକଟରେ ଘଟିଛି ।
ସୂଚନା ଅନୁଯାୟୀ, କଳିସା ପଦର ଗ୍ରାମର ଅର୍ଜୁନ ମୁଣ୍ଡା (୬୫) ପ୍ରତିଦିନ ଭଳି ଆଜି ମଧ୍ୟ ନିଜ ପୁଅକୁ ସାଙ୍ଗରେ ନେଇ କାଠକୋଇଲା ସଂଗ୍ରହ କରିବା ପାଇଁ ନିକଟସ୍ଥ ଜଙ୍ଗଲକୁ ବାହାରିଥିଲେ । ଜଙ୍ଗଲକୁ ଯିବା ବାଟରେ ପଡୁଥିବା ରାହୁଲ ନଦୀ ପାର ହେଉଥିବା ସମୟରେ ହଠାତ୍ ନଦୀର ପ୍ରଖର ସ୍ରୋତରେ ଅର୍ଜୁନ ମୁଣ୍ଡା ଭାସିଯାଇଥିଲେ।
ଆଖି ସାମ୍ନାରେ ବାପାଙ୍କୁ ନଦୀ ସ୍ରୋତରେ ଭାସିଯାଉଥିବା ଦେଖି ପୁଅ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନଦୀର ସ୍ରୋତ ଏତେ ପ୍ରଖର ଥିଲା ଯେ, ଚାହିଁଲେ ମଧ୍ୟ ବାପାଙ୍କୁ ଉଦ୍ଧାର କରିପାରିନଥିଲେ । ମୁହୂର୍ତ୍ତକ ମଧ୍ୟରେ ଅର୍ଜୁନ ମୁଣ୍ଡା ନଦୀର ପ୍ରଖର ସ୍ରୋତରେ ନିଖୋଜ ହୋଇଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା। ରାହୁଲ ନଦୀର ପ୍ରଖର ସ୍ରୋତ ଦମକଳ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ତେବେ ଖବର ଲେଖା ହେବା ସୁଦ୍ଧା ଅର୍ଜୁନ ମୁଣ୍ଡାଙ୍କ କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି । ନିଖୋଜ ବୃଦ୍ଧଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳର ପ୍ରୟାସ ଜାରି ରହିଛି ।