ଗୋଟିଏ ପରିବାରର ବାପା,ପୁଅ କରୋନା ଆକ୍ରାନ୍ତ: କାର୍ଯ୍ୟାଳୟ ସିଲ୍‌, ପ୍ରେମଚାନ୍ଦନଗରକୁ ନିଷିଦ୍ଧାଞ୍ଚଳ ଘୋଷଣା

ବୁଗୁଡ଼ା,୨୭।୬(ଡି.ଏନ୍‌. ଏ.): ଗଞ୍ଜାମ ଜିଲା ବୁଗୁଡ଼ା ସହରରେ କିଛିଦିନ ତଳେ ଅଗ୍ନିଶମ ବିଭାଗର ତିନି ଜଣ କର୍ମଚାରୀ କରୋନା ପଜିଟିଭ ହୋଇଥିବା ବେଳେ ଶୁକ୍ରବାର
ରାତିରେ ପ୍ରେମଚାନ୍ଦନଗରର ଗୋଟିଏ ପରିବାରର ବାପା, ପୁଅ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ପରିବାରର ଆକ୍ରାନ୍ତ ବାପା ସ୍ଥାନୀୟ ସବ୍‌ ଟ୍ରେଜେରି ଅଫିସରେ କାମକରନ୍ତି । ତେବେ ଏ ନେଇ ସହରରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ଉକ୍ତ କାର୍ଯ୍ୟାଳୟକୁ ସିଲ୍‌ କରିଛି । ସେ ଠେଲା ଦୋକାନୀଙ୍କ ଠାରୁ ପରିବା କିଣିବା, ଗତ ୧୮ତାରିଖରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ ପରୀକ୍ଷା କରିବା ଏବଂ କାର୍ଯ୍ୟାଳୟରେ ଲୋକଙ୍କ ସହ ମିଶିବା ନେଇ ସହରରେ ଏକ ପ୍ରକାର ସଂକ୍ରମଣ ଆଶଙ୍କା କରାଯାଇଛି। ଏ ନେଇ ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଡିଓ ତନ୍ମୟ ପାତ୍ର ଏବଂ ଏନ୍‌ଏସି ପ୍ରଶାସନର ଉପସ୍ଥିତିରେ ବୁଗୁଡା ସହରର ପ୍ରେମଚାନ୍ଦନଗରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।
ଏହା ସହ ପାଖରେ ଥିବା ମହୁଲିଆ ତୋଟା ସାହି ଏବଂ ବ୍ଲକ କଲୋନୀ ଅଞ୍ଚଳକୁ ବଫର୍‌ ଜୋନ ଘୋଷଣା କରାଯାଇଛି। ପ୍ରେମଚାନ୍ଦନଗର ପ୍ରବେଶ ପଥକୁ ସିଲ୍‌ କରାଯାଇ ଲୋକମାନଙ୍କର ଯିବା ଆସିବା ବନ୍ଦ କରାଯାଇଛି । କରୋନା ସଂକ୍ରମିତ ପରିବାରର ଅନ୍ୟମାନଙ୍କୁ ପରୀକ୍ଷା ପାଇଁ
ପଠାଯିବା ସହ କେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ତହସିଲଦାର ଜେନା ସୂଚନା ଦେଇଛନ୍ତି ।