କୃଷ୍ଣପ୍ରସାଦ,୧୧।୮(କୈଳାଶ ଚନ୍ଦ୍ର ପଟନାୟକ ): ପୁରୀ ଜିଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକ ଆଳୁପାଟଣା ଗ୍ରାମର କିଛି ଯୁବକ ରବିବାର ବଙ୍ଗୋପସାଗର କୂଳରେ ଏକ ବଣ ଭୋଜି କରୁଥିଲେ । ଉକ୍ତ ବଣ ଭୋଜି ପରେ ସମୁଦ୍ର କୂଳରେ ଗାଧାଉଥିବା ବେଳେ ୫ ଜଣ ସମୁଦ୍ର ଗର୍ଭକୁ ଚାଲି ଯାଇଥିଲେ। ୪ ଜଣ କୌଶଳ କ୍ରମେ କୂଳକୁ ଆସିଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ରିତେଶ କୁମାର ଜେନାଙ୍କର ପତା ମିଳି ନ ଥିଲା । ଉକ୍ତ ଖବର ପାଇ ଗ୍ରାମବାସୀ, ଓଡ୍ରାଫ ଟିମ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ସୋମବାର ଭୋର ସମୟରେ ନିଖୋଜ ଯୁବକଙ୍କ ମୃତ ଦେହ ସିପକୁଦା ନିକଟ ସମୁଦ୍ର କୂଳରେ ଲାଗିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଅରଖକୁଦା ସାମୁଦ୍ରିକ ଥାନା ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏ ସଂକ୍ରାନ୍ତରେ ଅରଖକୁଦା ଥାନାରେ ୨/୨୫ ରେ ଏକ ଅପମୃତ୍ୟୁମାମଲା ଋ଼ଜୁ କରାଯାଇଥିବା ଜଣାପଡିଛି । ମୃତ ଯୁବକଙ୍କ ପିତା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏକ ମାତ୍ର ପୁତ୍ର ରିତେଶର ମୃତ୍ୟୁକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।


