ବିଶ୍ୱ କିଡ୍‌ନୀ ଦିବସ: ଗୋଟିଏ ଗୋଟିଏ କିଡ୍‌ନୀରେ ବଞ୍ଚୁଛନ୍ତି ସମ୍ପୂର୍ଣ୍ଣ ପରିବାର

ନୂଆଦିଲ୍ଲୀ: ସାରା ବିଶ୍ୱରେ ମାର୍ଚ୍ଚ ୧୦ ତାରିଖ ଅର୍ଥାତ୍ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରାଯାଇଥାଏ । ଏହାର ଉଦ୍ଦେଶ୍ୟ ଆମେ ଆମ କିଡ୍‌ନୀକୁ କେମିତି ସୁସ୍ଥ ରଖିପାରିବା । ଏହାସହ କିଡନୀ ରୋଗ ସମ୍ପର୍କରେ ସଚେତନା ସୃଷ୍ଟି କରିବା । ଏଥରର ମୋଟୋ ରହିଛି, ହିଡନୀ ହେଲ୍‌ଥ ଫର ଅଲ୍ । ଏବେ ଭାରତରେ କିଡ୍‌ନୀ ପ୍ରତିରୋପାଣ ସଂଖ୍ୟା ବଢିଥିବା ବେଳେ ଲୋକେ ସାମାନ୍ୟ ସଚେତନ ହେଲେ କିଡନୀକୁ ସୁରକ୍ଷା ଦିଆଯାଇ ପାରିବ ।
ନୂଆଦିଲ୍ଲୀରେ ଏମିତି ଏକ ପରିବାର ରହିଛନ୍ତି ଯେଉଁ ପରିବାରର ପ୍ରତିଟି ସଦସ୍ୟଙ୍କର ରହିଛି ଗୋଟିଏ ମାତ୍ର କିଡ୍‌ନୀ । ରାଜସ୍ଥାନର ଏହି ବାସିନ୍ଦା ଦିଲ୍ଲୀରେ ରହୁଥିବା ବେଳେ ଏହି ପରିବାରରେ ରହିଛନ୍ତି ଜଣେ ମହିଳାଙ୍କ ସମେତ ୪ ସଦସ୍ୟ । ସମସ୍ତଙ୍କର ଦିଲ୍ଲୀର ବାଲାଜି ଆକ୍ସନ ହସ୍ପିଟାଲରେ କିଡ୍‌ନୀ ପ୍ରତ୍ୟାରୋପଣ କରାଯାଇଛି । ସେଠାକାର ବରିଷ୍ଠ ଡାକ୍ତର ରାଜେଶ ଅଗ୍ରୱାଲ କହିଛନ୍ତି ୩ ବର୍ଷ ପୂର୍ବେ ମନୋଜ(୪୮) ତାଙ୍କ ସାନ ଭାଇ ମହେଶ(୪୫)ଙ୍କୁ ଚିକିତ୍ସା କରିବାକୁ ହସ୍ପିଟାଲ ଆଣିଥିଲେ । ପରୀକ୍ଷା ପରେ ଜଣାପଡିଥିଲା କି ତାଙ୍କର କିଡ୍‌ନୀ ଖରାପ ଅଛି । ସେତେବେଳେ ପିତା ବିନୋତ ସାନପୁଅ ମହେଶକୁ ନିଜର ଗୋଟିଏ କିଡନୀ ଦାନ କରିଥିଲେ । କିଛିଦିନ ପରେ ଜଣାପଡିଥିଲା କି ମନୋଜଙ୍କ କିଡନୀ ମଧ୍ୟ ନଷ୍ଟ ହେବାକୁ ଯାଉଛି । ଏପରି ପରିସ୍ଥିତିରେ ମନୋଜଙ୍କ ବାପା ଥରେ କିଡନୀ ଦାନ କରି ସାରିଥିବା ବେଳେ ମାଆଙ୍କର ପରଲୋକ ହୋଇ ସାରିଥିଲା । ଏପଟେ ରକ୍ତ ସମ୍ପର୍କୀୟ ଏମିତି କେହି ନ ଥିଲେ ଯେ କି କିଡ୍‌ନୀ ଦାନ କରିପାରିବେ । ଶେଷରେ ମନୋଜଙ୍କ ପତ୍ନୀ ତାଙ୍କୁ ଗୋଟିଏ କିଡ୍‌ନୀ ଦାନ କରିଥିଲେ । ଡାକ୍ତରଙ୍କ କହିବା କଥା ହେଲା ଏହି ପରିବାରର ସମସ୍ତ ସଦସ୍ୟ ଗୋଟିଏ ଲେଖାଁ କିଡନୀରେ ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି । ସୂଚନାଯୋଗ୍ୟ, ଗତ ୨୪ ବର୍ଷ ମଧ୍ୟରେ ଦେଶରେ କିଡନୀ ପ୍ରତିରୋପଣ ୩୧ ଗୁଣା ବୃଦ୍ଧି ପାଇଛି । ତେଣୁ କିଡନୀ ସମସ୍ୟାକୁ ନେଇ ବ୍ୟତିବ୍ୟସ୍ତ ହେବା ଅପେକ୍ଷା ଏହାକୁ ସୁରକ୍ଷିତ ରଖିବା ଜରୁରୀ ।