ଖଜୁରୀପଡ଼ା,୧୧।୯(ବିଦୁର ବେହେରା): ଜମିଜମା ବିବାଦକୁ କେନ୍ଦ୍ର କରି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତ ସର୍କେସରୁ ଗ୍ରାମରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ଟାଙ୍ଗିଆ ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ, ବାପାଙ୍କୁ ବଞ୍ଚାଇବାକୁ ଯାଇ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ମୃତକ ଜଣକ ହେଲେ ସର୍କେଶରୁ ଗ୍ରାମର ରତ୍ନାକର ମାଝୀ (୫୫) ଏବଂ ଗୁରୁତର ଆହତ ପୁଅ ହେଲେ ଶିବ ମାଝୀ।
ମିଳିଥିବା ସୂଚନା ଅନୁଯାୟୀ, ରତ୍ନାକର ଏବଂ ତାଙ୍କ ଭାଇଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିଜମା ନେଇ ବିବାଦ ଲାଗି ରହିଥିଲା। ଶୁକ୍ରବାର ଭୋରରେ ରତ୍ନାକର ଘରେ ଶୋଇଥିବା ବେଳେ ଅଭିଯୁକ୍ତ ରବୀନ୍ଦ୍ର ମାଝୀ ଏକ ଟାଙ୍ଗିଆ ଧରି ହଠାତ୍ ଘର ଭିତରକୁ ପଶିଯାଇଥିଲେ। କିଛି ବୁଝିବା ପୂର୍ବରୁ ରବୀନ୍ଦ୍ର ରତ୍ନାକରଙ୍କୁ ବେକ ଓ ମୁଣ୍ଡକୁ ଆକ୍ରମଣ କରିଥିଲେ।
ରତ୍ନାକରଙ୍କ ଚିତ୍କାର ଶୁଣି ପୁଅ ଶିବ ବାପାଙ୍କୁ ବଞ୍ଚାଇବାକୁ ଆସି ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ରତ୍ନାକରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଶିବ ଗୁରୁତର ଆହତ ହୋଇଛନ୍ତି।
ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବା ଲୋକେ ଶିବଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ରହିଛି।
ଖବର ପାଇ ସଦରଥାନା ପୋଲିସ ଏବଂ ମେଡିକାଲରେ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ପ୍ରାଥମିକ ତଦନ୍ତ ଆଧାରରେ ଅଭିଯୁକ୍ତ ରବୀନ୍ଦ୍ର ମାଝୀକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଥିବା ନେଇ ଥାନା ଅଧିକାରୀ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଏହି ନୃଶଂସ ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

