Categories: ଜାତୀୟ

ଆମ୍ବୁଲାନ୍ସ ନ ମିଳିବାରୁ ପୁଅର ମୃତଦେହକୁ ବ୍ୟାଗରେ ନେଲେ ବାପା

କାଟିହାର (ବିହାର),୭।୩ : ବିହାରର କାଟିହାର ଜିଲାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ୧୩ ବର୍ଷର ପୁଅର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ବାପାକୁ ମୃତଦେହ ନେବା ପାଇଁ ମିଳିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ବାପା ମୃତଦେହକୁ ବ୍ୟାଗରେ ଧରି ବ୍ୟବଚ୍ଛେଦ ପାଇଁ ଖାଲି ପାଦରେ ପ୍ରାୟ ୩ କିଲୋମିଟର ଚାଲିଚାଲି ପହଞ୍ଚିଥିଲେ ଭାଗଲପୁର ହସ୍ପିଟାଲରେ।

ମୃତକ ହରିଓମ ଯାଦବ ଗତ ୨୬ ତାରିଖରେ ଟିଣ୍ଟେଙ୍ଗା ଘାଟରୁ ନିଖୋଜ ହୋଇଯାଇଥିଲେ। ଏ ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ ତାଙ୍କ ବାପା ଲେରୁ ଯାଦବ। ଖେରିଆ ଘାଟରୁ ଜଣେ ନାବାଳକଙ୍କ ମୃତଦେହ ମିଳିବା ପରେ ଚିହ୍ନଟ ପାଇଁ ପୋଲିସ ପକ୍ଷରୁ ଲେରୁ ଯାଦବଙ୍କୁ ଡକାଇଥିଲେ।

”ମୃତଦେହର ପୋଷାକ ଦେଖି ମୋ ପୁଅ ବୋଲି ଚିହ୍ନଟ କରିଥିଲି। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଡକେଇବାକୁ ପୋଲିସକୁ କହିଥିଲି। ହେଲେ ମନା କରି ଦେଇଥିଲେ ଉପସ୍ଥିତି ପୋଲିସ କର୍ମୀ“ ବୋଲି ମୃତକଙ୍କ ବାପା କହିଛନ୍ତି। ତେବେ ଏ ସମ୍ପର୍କରେ ଏସ୍‌ଡିପିଓ ଅମରକାନ୍ତ ଝାଙ୍କୁ ଯୋଗାଯୋଗ କରାଯିବା ପରେ ପ୍ରଥମ ଏଭଳି କୌଣସି ଘଟଣା ଘଟି ନ ଥିବା କହିଥିଲେ। ଘଟଣାର ଭିଡିଓ ଦେଖାଇବା ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଆଶ୍ୱସନା ଦେଇଛନ୍ତି।

Share