କରୋନା ଯୋଗୁ ତୁଟିଲା ବାପ-ପୁଅ ସମ୍ପର୍କ

ଲକ୍ଷ୍ନୌ,୩୧।୫: କରୋନା ସମୟରେ ଅନେକ ଲୋକ ବିଭିନ୍ନ ସ୍ଥିତି ଦେଇ ଗତି କରୁଛନ୍ତି। କେହି ନିଜ ଆତ୍ମୀୟଙ୍କୁ ହରାଇଥିବା ବେଳେ ଆଉ କେହି ନିଜର ଚାକିରି ଓ ବ୍ୟବସାୟ ହରାଇଛନ୍ତି। କରୋନା ସଙ୍କଟରେ ବହୁ ସମୟରେ ଅମାନବୀୟ ଦୃଶ୍ୟ ଓ ମୃତଦେହକୁ କାନ୍ଧ ମିଳୁ ନ ଥିବା ମଧ୍ୟ ଦେଖିବାକୁ ମିଳିଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ସନ୍ଥକବିରନଗରରୁ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ କରୋନା ଭୟରେ କେହି ସମ୍ପର୍କୀୟ ତାଙ୍କୁ କାନ୍ଧ ଦେଇ ନ ଥିବା ବେଳେ ପୁଅମାନେ ମଧ୍ୟ ପାଖକୁ ଆସି ନଥିଲେ। ଶେଷରେ ତାଙ୍କର ମୃତଦେହକୁ ଜେସିବି ସାହାଯ୍ୟରେ ପୋତାଯାଇଥିବା ଜଣାପଡ଼ିିଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ସନ୍ଥକବିରନଗର ଜିଲାର ବେଲହର ଥାନା ଅଞ୍ଚଳରେ ରହୁଥିବା ଲଳିତ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନରୁ ଅସୁସ୍ଥ ଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଗୋରଖପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ପରେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଡାକ୍ତର ତାଙ୍କ ୩ ପୁଅଙ୍କୁ କହିଥିଲେ। ଏହାପରେ ସେମାନେ ଅନ୍ୟ ହସ୍ପିଟାଲରେ ବାପାଙ୍କ ଚିକିତ୍ସା କରାଇବାକୁ କହି ଘରକୁ ନେଇଆସିଥିଲେ। କିଛି ଦିନ ପରେ ଲଳିତଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ତାଙ୍କ ସର୍ମ୍ପକୀୟ କେହି ଛୁଇଁ ନ ଥିବା ବେଳେ ଅନ୍ତିମ ସଂସ୍କାର ପାଇଁ ଗାଁଲୋକଙ୍କୁ ମଧ୍ୟ ପୁଅମାନେ ମନା କରିଦେଇଥିଲେ। ଶେଷରେ ଗାଁ ବାହାରେ ଏକ ଜମିରେ ଜେସିବି ସାହାୟତାରେ ଗାତ ଖୋଳାଯାଇ ସେଠାରେ ତାଙ୍କ ମୃତଦେହକୁ ପୋତାଯାଇଥିଲା।

Share