ଗାଁରେ ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରୁଥିଲେ ବାପ-ପୁଅ, ବାନ୍ଧିଲା ପୋଲିସ

ଗୋପାଳପୁର,୧୫ା୧୧(ନବୀନରାଜ ଆଚାରୀ): ଗଞ୍ଜାମ ଜିଲା ଅଧିନସ୍ଥ ଗୋଳନ୍ଥରା ଥାନା ଅନ୍ତର୍ଗତ ଆମ୍ବପୁର ଗ୍ରାମରେ ଦେଶୀ ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିବା ମାମଲାରେ ସ୍ଥାନୀୟ ପୋଲିସ ବାପ-ପୁଅ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରି ସେମାନଙ୍କୁ ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଜଣ ଆମ୍ବପୁରର ବାପା ଜେ. ଦଣ୍ଡପାଣି ଓ ପୁଅ ଜେ. ରାମହରି ବୋଲି ଜଣାପଡ଼ିଛି l

ସୂଚନାନୁଯାୟୀ, ଦଣ୍ଡପାଣି ଓ ରାମହରି ଆମ୍ବପୁର ଇନ୍ଦିରା ଆବାସ କଲୋନୀରେ କେଉଁ ଆଡୁ ଆସି ସରକାରୀ ଜାଗାରେ ଘର ତିଆରି କରି ୧୦ ବର୍ଷ ହେଲା ରହି ଆସୁଥିବା ବେଳେ ଘୁଷୁରି ପାଳନ କରି ରହୁଥିଲେ। ଗାଁରେ ଘୁଷୁରି ଛାଡ଼ି ଦେଉଥିଲେ l ଫଳରେ ଗାଁରେ ଆବର୍ଜନା ସୃଷ୍ଟି ହେବା ସହ ଅପରିଷ୍କାର ପରିବେଶ ସୃଷ୍ଟି ହେଉଥିଲା। ଗ୍ରାମବାସୀ ଏଥିରେ ଅତିଷ୍ଠ ହୋଇ ସେମାନଙ୍କୁ ତାଗିଦ କରିବା ସହ ନଚେତ ଗାଁ ଛାଡ଼ି ଚାଲିଯିବା ପାଇଁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମଙ୍ଗଳବାର ସନ୍ଧ୍ୟାରେ ଦଣ୍ଡପାଣି ଓ ରାମହରି କିଛି ଅସାମାଜିକ ଯୁବକଙ୍କୁ ସାଙ୍ଗରେ ଧରି ଆସି ଏକ ଦେଶୀ ବନ୍ଧୁକ ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରିବା ସହ ଗାଁରେ ଆତଙ୍କ ସୃଷ୍ଟି କରିଥିଲେ। ଏ ନେଇ ଶତାଧିକ ଗ୍ରାମବାସୀ ଗୋଳନ୍ଥରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏତଲାକୁ ଭିତ୍ତିକରି ଥାନା କେସ୍‌ ନଂ ୫୮୦/୨୩ରେ ଏକ ମାମଲା ରୁଜୁ କରିଥିଲା। ବୁଧବାର ଦଣ୍ଡପାଣି ଓ ରାମହରି ଗ୍ରାମରେ ଥିବା ବେଳେ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରି ତାଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନାଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।