ଦୁଇ ପରିବାର ମଧ୍ୟରେ ଆକ୍ରମଣ – ପ୍ରତି ଆକ୍ରମଣ ମାମଲା: ଗିରଫ ହେଲେ ବାପା-ପୁଅ, ଜାମିନ ନାମଞ୍ଜୁର ହେବାରୁ…

ଦିଗପହଣ୍ଡି,୨୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକର ଗ୍ରାମରେ ଗତ ଶୁକ୍ରବାର ରାତିରେ ପାରିବାରିକ ହିଂସା ର ଦୁଇ ପରିବାରର ୬ ଜଣ ଆହାତ ହୋଇଥିଲେ। ଆକ୍ରମଣ – ପ୍ରତି ଆକ୍ରମଣକୁ ନେଇ କେ . ନୂଆଗାଁ ଥାନାରେ ପୃଥକ ମକଦ୍ଦମା ରୁଜୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ସୋମବାର ଜକର ଗ୍ରାମର ତଳ ସାହିର ଅଭିଯୁକ୍ତ ଘନ ଗୌଡ଼ ଓ ତାଙ୍କ ପୁଅ କିରଣ ଗୌଡ଼ଙ୍କୁ ଗିରଫ କରି ଥାନା ମାମଲା ନଂ. ୧୦୭/୨୬ ଅନୁଯାୟୀ ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗ୍ରାମର ଘନ ଗୌଡ଼ଙ୍କ ଝିଅ ଲିଜାଙ୍କ ସହ ନୂଆସାହିର ଟୁଟୁ ଗୌଡ଼ଙ୍କ ପୁଅ ରବିନ୍ଦ୍ର ବିବାହ କରିଥିଲେ । ବୈବାହିକ ଜୀବନ କିଛିଦିନ ସୁଖଶାନ୍ତିରେ ଚାଲିଥିଲା । ପରବର୍ତ୍ତୀ ସମୟରେ ସ୍ବାମୀ ଓ ଶଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ଲିଜା ଗତ ୪ ମାସ ପୂର୍ବେ ବାପା ଘରକୁ ଚାଲି ଆସିଥିଲେ। ଉଭୟ ପରିବାର ଟ୍ରାକ୍ଟର ରଖି ବାଲି , ପଥର ବ୍ୟବସାୟ କରୁଥିବା ଗତ କିଛିଦିନ ତଳେ ବାହୁଦା ନଦୀରୁ ବାଲି ଉଠାଣକୁ ନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ ଶୁକ୍ରବାର ରାତିରେ ଏହା ଉଗ୍ରରୂପ ନେଇଥିଲା। ଘନ ଓ ତାଙ୍କ ପୁଅ କିରଣଙ୍କ ସମେତ ଅନ୍ୟ ଗାଁର କିଛି ଯୁବକ ୨ଟି ବାଇକରେ ଟୁଟୁଙ୍କ ଘରକୁ ଆସି ଗଣ୍ଡଗୋଳ କରିବା ସହ
ତାଙ୍କ ଦୁଇପୁଅ ରବିନ୍ଦ୍ର ଓ ସୁନୀଲ ଏବଂ ବଡଭାଇ ବାବୁ ଗୈାଡଙ୍କୁ ଆକ୍ରମଣ କରିଥିଲେ । ପ୍ରତିବାଦରେ ଟୁଟୁଙ୍କ ପରିବାର ମଧ୍ୟ ଘନ ଓ ତାଙ୍କ ପୁଅ କିରଣଙ୍କୁ ଘାତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଓ ପ୍ରତି ଆକ୍ରମଣରେ ଟୁଟୁଙ୍କ ସମେତ ତାଙ୍କ ବଡ଼ଭାଇ ବାବୁ , ଦୁଇପୁଅ ରବିନ୍ଦ୍ର ଓ ସୁନୀଲ ଏବଂ ଅପରପକ୍ଷର ଲିଜାଙ୍କ ବାପା ଘନ ଓ ଭାଇ କିରଣ ଆହତ ହୋଇଥିଲେ ।
ଘଟଣାପରେ ଖବରପାଇ କେ.ନୂଆଗାଁ ପୋଲିସ ଟିମ ଗ୍ରାମରେ ପହଞ୍ଚି ତଦନ୍ତ କରିବା ସହ ସମସ୍ତ ଆହତଙ୍କୁ ନିକଟସ୍ଥ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ଚିକିତ୍ସା ହୋଇ ଫେରିବା ପରେ ଉଭୟ ପରିବାର ପକ୍ଷରୁ ଥାନାରେ ଏତଲ ଏତଲା ଦିଆଯାଇଥିଲା। ପୋଲିସ ପୃଥକ ମକଦ୍ଦମା ରୁଜୁ କରିଥିଲା। ଟୁଟୁଙ୍କ ସ୍ତ୍ରୀ ସରସତୀ ଗୌଡ଼ଙ୍କ ଏତଲା କ୍ରମେ ରୁଜୁ କରାଯାଇଥିବା ମକଦ୍ଦମାରେ ସମ୍ପୃକ୍ତ ଉଭୟ ବାପା ପୁଅଙ୍କୁ ତଦନ୍ତକାରୀ ଅଧିକାରୀ ଆଇଆଇସି ବିଶ୍ୱଜିତ ନାୟକ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

 

Odisha’s No.1 Odia Daily

Share