ପିତା ଓ ପିତା

ଚପଳ ବୟସ ବାବୁଲାର। ଚଗଲାମିରେ ସୀମା ଟପିଗଲାଣି। ସାହି ପଡ଼ିଶାଙ୍କର ସବୁବେଳେ ଅଭିଯୋଗ। ବୋଉ ଭାରି ବ୍ୟସ୍ତ। କେତେ ବୁଝାଏ। ବାପା ଦିନେ ରାଗି ପିଟି ପକାଇଲେ। ବାବୁଲାର ମନ ଖରାପ। ଘରୁ ବାହାରି ପଳାଇଲା। ସନ୍ଧ୍ୟା ହେଲାଣି, ଘରେ ସମସ୍ତେ ବ୍ୟସ୍ତ। ଘର-ବାହାର, ବନ୍ଧୁ ଘର ସବୁ ଖୋଜା ସରିଲାଣି , ବାବୁଲା ମିଳୁନି। ଚାଷବନ୍ଦୀ ଘର, ଗାଈ-ବଳଦ ଗୁହାଳରେ ବନ୍ଧା ହେଲେ, ବାପା ଗୋରୁଙ୍କ ଆଗରେ ପକାଇବାକୁ ଛଣ ଆଣୁଛନ୍ତି, ଆଖିରେ ଆଖିଏ ଲୁହ, ସ୍ବତଃ ପାଟିରୁ ବାହାରୁଛି ବାପାରେ କୁଆଡ଼େ ଗଲୁ, ଆ-ଆ-ରେ ଧନ, ମୁଁ ତତେ ଜମା ମାରିବିନି। ଉପରୁ ଖସ୍‌ ଖସ୍‌ ଶୁଭିଲା, କ’ଣ ବୋଲି ଦେଖନ୍ତେ ବାବୁଲା ଛଣ ଭାଡ଼ି ଭିତରେ। ଧରିଲେ ବାପା ବାବୁଲାର ଚୁଟିକୁ, ଆଉ ପିଟି ଦେଇଗଲେ। କହି ଚାଲିଥାନ୍ତି- ବଦମାସ୍‌ ଏଇଠି ଲୁଚିଛି, ସକାଳୁ କାନ୍ଦବୋବାଳି, ଖିଆପିଆ ସବୁ ବନ୍ଦ। ବାବୁଲା ବୁଝି ପାରୁନଥିଲା ଏବେ ମତେ ନ ପାଇ କାନ୍ଦୁଥିଲେ, ପୁଣି ପାଇକରି ଏ ନିସ୍ତୁକ ମାଡ଼ !
ପ୍ରକୃତରେ ବାପାଙ୍କୁ ବୁଝିବା କଷ୍ଟ। ପିଲାବେଳେ ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଝୁଲାଟିଏ ପକାଇ ଧୁଡୁକି ବଜାଇ ଭିକ ମାଗେ ଓ ଗୀତଟିଏ ଗାଏ- ନିମ ସିନା ଲାଗେ ପାଟିକୁ ପିତାଲୋ ପେଟରେ ଅମୃତ ଲଡ଼ୁ / ଆମ୍ବ ସିନା ଲାଗେ ପାଟିକୁ ମିଠା ସେ ପେଟ କରେ ଘୁଡୁଘୁଡୁ। ପ୍ରକୃତରେ ଆଦ୍ୟ ଜୀବନରେ ବାପାଙ୍କର ଅନେକ କଥା ପିତା ଲାଗେ, ନିମ ପାଟିକୁ ଲାଗିଲା ପରି । କିନ୍ତୁ ପରବର୍ତ୍ତୀ ସମୟରେ ମଣିଷ ଉପଲବ୍ଧି କରେ ବାପାଙ୍କର ସେ ତାଡ଼ନାର ମୂଲ୍ୟ।
ଚାଳିଶି ପଚାଶ ବର୍ଷ ପୂର୍ବକୁ ଫେରିଗଲେ ଆମେ ଦେଖିବା ବାପା ମା’ଙ୍କର ପାଞ୍ଚରୁ ସାତ ସନ୍ତାନସନ୍ତତି ଥିଲେ। ବାପା ଏକମାତ୍ର ରୋଜଗାର କରି ନିଜର ବୃଦ୍ଧ ବାପା-ମା, ବନ୍ଧୁ-ବାନ୍ଧବ ଓ ସ୍ତ୍ରୀ, ପିଲାଙ୍କୁ ଚଳାଉଥିଲେ। ଶତକଡ଼ା ନବେ ପ୍ରତିଶତ ପରିବାରରେ ଅଭାବ ଲାଗି ରହୁଥିଲା ମାତ୍ର ବାପା ବୁଢ଼ା ହେଲାପରେ ଘରେ ରହୁଥିଲେ, ପିଲାମାନଙ୍କ ଯତ୍ନରେ ଆଉ ସେବାରେ। ବୁଦ୍ଧି ହେଲା ପରେ ପିଲାମାନେ ବୁଝି ଯାଉଥିଲେ ପିତା ଆଦୌ ପିତା ନୁହନ୍ତି।
ବତ୍ତର୍ର୍ମାନ ପରିବାର କହିଲେ ସ୍ବାମୀ, ସ୍ତ୍ରୀ ଓ ଗୋଟିଏ ପିଲା। କୌଣସି ବାପା ତା’ର ପିଲାକୁ ଶାସନ କରିବାର ଦେଖାଯାଉନି। ଅଖଣ୍ଡ ସ୍ବାଧୀନତା, ପିଲାର ସବୁ ଅଳି ଅର୍ଦ୍ଦଳି ଅଚିରେ ପୂରଣ ହେଉଛି। ପଇସାର ଅଭାବ ନାହିଁ, ଶିକ୍ଷା ବ୍ୟବସାୟୀମାନେ ପଇସା ବଦଳରେ ଡିଗ୍ରୀ ଦେବାକୁ ଆଗଭର। ବାପାଙ୍କର ପୁଅ ପାଇଁ ବେଶ୍‌ ହାତଖୋଲା। ବାବୁ ପାଠ ପଢ଼ି ଚାକିରି କଲେ ବାଙ୍ଗାଲୋର୍‌, ବମ୍ବେ ଅବା ପୁଣେରେ। ବାପାଙ୍କର ମଧ୍ୟ ସଫଳ ପିତା ବୋଲି ଗର୍ବ, ମାତ୍ର ପୁଅ ତାଙ୍କ ପରିବାର ଧରି ସିଆଡ଼େ। ସମୟ ଆସେ ବାପା ରୁହନ୍ତି ବୃଦ୍ଧାଶ୍ରମରେ। ସେତେବେଳେ ସିନା ପିଲାମାନେ ବୁଦ୍ଧି ହେଲା ପରେ ବୁଝି ପାରୁଥିଲେ ପିତା କେବେ ପିତା ହୋଇ ନ ପାରନ୍ତି, ଏବେ କିନ୍ତୁ ପିଲାମାନଙ୍କର ବୁଦ୍ଧି ହେଲା ପରେ ତାଙ୍କୁ ପିତାମାନେ ଭାରି ପିତା ଲାଗୁଛନ୍ତି।
ମଦନ ଓ ସନାତନ ଦୁଇ ବନ୍ଧୁ। ମଦନ ସପ୍ତମ ଶ୍ରେଣୀ ପରେ ପାଠରେ ଡୋରି ବାନ୍ଧି ଚାଷ କଲା। ସନାତନ ଶିକ୍ଷକ ଚାକିରି କରି ହେଡ୍‌ମାଷ୍ଟର ପଦବୀରୁ ଅବସର ନେଲେ। ଦୁହେଁ ଗାଁରେ ପୈତୃକ ଘରେ ରହୁଛନ୍ତି। ମଦନର ପୁଅ ମାଟ୍ରିକ୍‌ ଫେଲ୍‌ ହୋଇ ବାପା ସାଙ୍ଗରେ ଚାଷକାମରେ ସାମିଲ ହୋଇ ଘର ସଂସାର କରି ଗାଁ ଘରେ ରହିଲା। ସନାତନ ବାବୁ ପ୍ରୋଭିଡେଣ୍ଟ ଫଣ୍ଡ ଉଠାଇ ବେସରକାରୀ କଲେଜରେ ପୁଅକୁ ଇଞ୍ଜିନିୟରିଂ ପାଠ ପଢ଼ାଇଲେ। ପୁଅ ପାସ୍‌ କରି ବାଙ୍ଗାଲୋର୍‌ରେ ଚାକିରି କଲେ ଓ ସ୍ତ୍ରୀ ପିଲାଙ୍କୁ ଧରି ଚାକିରି କ୍ଷେତ୍ରରେ ରହିଲେ। ଗାଆଁକୁ ଆସନ୍ତିନି କହିଲେ ଚଳେ।
ଏବେ ଦୁହେଁ ମଦନ ଓ ସନାତନ ଅତିକ୍ରାନ୍ତ ବୟସରେ, ଦେହ ଭଲ ରହୁନି। ସନାତନ ବାବୁ ସପତ୍ନିକ ବାଙ୍ଗାଲୋର୍‌ ଗଲେ ପୁଅ ପାଖକୁ, କିଛି ଦିନ ସେଠି କଟାଇବେ, ଦେହ ଦେଖାଇବେ। ଘରୁ ଯିବାର ଆଠ ଦିନ ହୋଇନି, ସନାତନ ବାବୁ ଫେରି ଆସିଲେଣି ପୁଅ ପାଖରୁ।
ଖରାବେଳ, ଦାଣ୍ଡ ପିଣ୍ଡାରେ ମଦନ ବସିଛନ୍ତି, ପୁଅ କହୁଛି – ବା, ଆଜି ବିଲକୁ କାହିଁକି ଗଲୁ, କେତେ ମନା କରିଛି ଆଉ କାମ କରନା, ପିଣ୍ଡା ଉପରେ ବସ। ଦାଣ୍ଡରେ ବନ୍ଧୁ ସନାତନଙ୍କୁ ଦେଖି ମଦନ ପଚାରୁଛନ୍ତି – ଭାଇ କ’ଣ ଏତେ ଜଲଦି ପଳାଇ ଆସିଲ, ଦେହ ଦେଖାଇଲ ତ ? କାନ୍ଦି ପକାଇଲେ ସନାତନ, ମୋ ପୁଅ କହିଲା, ସେଠାରେ ଡାକ୍ତର ନ ଦେଖାଇ ଏଠାକୁ ଆସିଲେ କାହିଁକି, ଆମେ କ’ଣ ଡାକ୍ତର ? ପଇସା ଯଦି ଦରକାର ଥିଲା କହିଲେନି। ବୋହୂ ପୁଅର କଥାକୁ ସମର୍ଥନ କରୁଥାଏ। ସତେଯେପରି ଆମେ ସେମାନଙ୍କ ପାଖରେ ପହଞ୍ଚତ୍ ମସ୍ତବଡ଼ ଭୁଲ୍‌ କରିଦେଇଛୁ।
ଆଉରଙ୍ଗଜେବ ଭାଇମାନଙ୍କୁ ବିନାଶ କରି ପିତା ଶାହାଜାହାନଙ୍କୁ କାରାଗାରରେ ନିକ୍ଷେପ କରି ସିଂହାସନ ଅଧିକାର କରିଥିଲେ। ଶୁଣାଯାଏ ଶାହାଜାହାନ ଅଧିକ ଦିନ ବଞ୍ଚତ୍ ରହିବାରୁ ଆଉରଙ୍ଗଜେବ ତାଙ୍କୁ ଦିଆଯାଉଥିବା ପିଇବା ପାଣି ପ୍ରତ୍ୟହ କମାଇ ଦେଉଥିଲେ। କାରାଗାରରେ ତୃଷ୍ଣାରେ ଆତୁର ଶାହାଜାହାନ ସେଦିନ କହିଥିଲେ, ଧନ୍ୟ ହିନ୍ଦୁସ୍ଥାନ, ଧନ୍ୟ ତା’ର ସନାତନ ପରମ୍ପରା, ଯେଉଁଠି ପରଲୋକଗତ ପିତା ଓ ପିତୃ ପୁରୁଷଙ୍କୁ ପୁଅ ପିଣ୍ଡ ପାଣି ପ୍ରଦାନ କରେ। ଆଉ ମୋର ପୁଅ ଜୀବନ୍ତ ବାପକୁ ପାଣି ଟୋପେ ଦେଉନି।
ପରିଣତ ବୟସରେ ପିତାଙ୍କ ପ୍ରତି ପୁତ୍ରଙ୍କର ଆଚରଣର ସ୍ଖଳନକୁ ଲକ୍ଷ୍ୟକରି ସମାଜକୁ ସଚେତନ କରିବା ପାଇଁ ବ୍ୟାସକବି, ଫକୀରମୋହନଙ୍କ ଲେଖନୀରୁ ଝରି ପଡ଼ିଥିଲା କାଳଜୟୀ ଗଳ୍ପ ’ଡାକମୁନ୍‌ସୀ’। ବାପ ହରିସିଂ ପେଟକୁ ଗଣ୍ଡେ ଭଲ ନ ଖାଇ, ଖଣ୍ଡେ ଭଲ ନ ପିନ୍ଧି, ବାପା-ମା ଉଭୟଙ୍କୁ ସ୍ନେହ ଦେଇ ପୁତ୍ର ଗୋପାଳକୁ ଇଂଲିଶ ଦୁଇ ଅକ୍ଷର ପଢ଼ାଇ ହାକିମହୁକୁମାଙ୍କ ସୁପାରିସ୍‌ରେ ପୁଅକୁ ପୋଷ୍ଟମାଷ୍ଟର ସଜାଇ ପାରିଲା। ମାତ୍ର ପୋଷ୍ଟ ମାଷ୍ଟର ବାବୁ ବାପା ହରିସିଂଙ୍କ କଷ୍ଟ ବୁଝିବା ତ ଦୂରର କଥା ବରଂ ପ୍ରବଳ ଥଣ୍ଡା ଜ୍ୱରରେ ବାପା କାଶୁଥିବା ବେଳେ ବାବୁ ପିଅନକୁ ଆଦେଶ ଦଅନ୍ତି ବୁଢ଼ାଟାକୁ କିଆବୁଦାରେ ଫୋପାଡ଼ି ଦେଇ ଆସ। ଇତିମଧ୍ୟରେ ଶହେରୁ ଊର୍ଦ୍ଧ୍ୱ ବର୍ଷ ବିତିଗଲାଣି। ବଢ଼ି ଚାଲିଥବା ବୃଦ୍ଧାଶ୍ରମଗୁଡ଼ିକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ଗୋପାଳମାନଙ୍କ ସଂଖ୍ୟା ଚକ୍ରବୃଦ୍ଧି ହାରରେ ବଢ଼ି ଚାଲିଛି।
କଥାରେ ଅଛି ଉଧାର ମାଣକ ପାଞ୍ଚ ପା। ଆଜିର ପୁଅ ତା’ ବାପ ପରି ଦିନେ ବୁଢ଼ା ହେବ। ତା’ ପୁଅ ବି ବଡ଼ ହେବ। ନିଜେ ଯଦି ଗୋପାଳ ଭୂମିକାରେ ଥାଏ, ତେବେ ତା’ ପୁଅ ଯେ ଗୋପାଳ ନ ହେବ କିଏ କହିବ। ସାଧୁ, ସାବଧାନ, ବେଳ ଥାଉ ଥାଉ ପିତାର ଅର୍ଥ ବୁଝିବା ଦରକାର। ପରିଣତ ବୟସରେ ପିତାମାନେ ପୁଅବୋହୂଙ୍କୁ ପିତା ଲାଗିବା ଅଧ୍ୟାୟ ଅତ୍ୟନ୍ତ ହୃଦୟ ବିଦାରକ।
ଶତାବ୍ଦୀ ନଗର, ଭୁବନେଶ୍ୱର
ମୋ:୮୮୪୭୮୯୨୬୭୨


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri