ରୁଷିଆର ସଦସ୍ୟତା ରଦ୍ଦ କଲା ଏଫ୍‌ଏଟିଏଫ୍‌

ପ୍ୟାରିସ୍‌,୨୫।୨: ୟୁକ୍ରେନ ଓ ରୁଷିଆ ଜାରି ରହିଥିବା ଯୁଦ୍ଧକୁ ଇତିମଧ୍ୟରେ ବର୍ଷେ ପୂରିଛି।  ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫ୍‌ଏଟିଏଫ୍‌) ରୁଷିଆକୁ ଏକ ବଡ଼ ଝଟ୍‌କା ଦେଇଛି। ଏଫ୍‌ଏଟିଏଫ୍‌ ରୁଷିଆର ସଦସ୍ୟତାକୁ ରଦ୍ଦ କରିଥିବା ଜଣାପଡ଼ିଛି। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ଯୋଗୁ ଏହା ରଦ୍ଦ କରାଯାଇଛି। ଶୁକ୍ରବାର ପ୍ୟାରିସରେ ଆୟୋଜିତ ଏଫ୍‌ଏଟିଏଫ୍‌ର ଏକ ବୈଠକ ପରେ ଏକ ବିବୃତ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ରୁଷିଆର କାର୍ଯ୍ୟ ଗ୍ରହଣୀୟ ନୁହେଁ ଏବଂ ତା’ର ସାମରିକ କାର୍ଯ୍ୟାନୁଷ୍ଠାନ ମୌଳିକ ନୀତି ବିରୋଧରେ। ଅନ୍ୟପଟେ ଏଫ୍‌ଏଟିଏଫ୍‌ର ଉଦ୍ଦେଶ୍ୟ ବିଶ୍ୱ ଆର୍ଥିକ ପ୍ରଣାଳୀର ସୁରକ୍ଷା ଏବଂ ଅଖଣ୍ଡତାକୁ ପ୍ରୋତ୍ସାହିତ କରିବା ବୋଲି ଉକ୍ତ ବିବୃତ୍ତିରେ କୁହାଯାଇଛି। ଏଫ୍‌ଏଟିଏଫ୍‌ ୟୁକ୍ରେନବାସୀଙ୍କ ପ୍ରତି ନିଜର ଗଭୀର ସହାନୁଭୂତିକୁ ଜଣାଉଛି। ତେବେ ଯୁଦ୍ଧ କାରଣରୁ ଜୀବନହାନୀ ଏବଂ ବିନାଶକୁ ମଧ୍ୟ ଏଫ୍‌ଏଟିଏଫ୍‌ ନିନ୍ଦା କରିଛି। ଏଥିସହ ଆତଙ୍କବାଦକୁ ଆର୍ଥିକ ପ୍ରୋତ୍ସାହନ ଉପରେ ନଜର ରଖୁଥିବା ସଂସ୍ଥା ଏଫ୍‌ଏଟିଏଫ୍‌, ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ କଡ଼ା ନିନ୍ଦା କରିଛି।

Share