ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ୩ ଥାନାରେ ଅଟକ, ଗିରଫ ଦାବିରେ ରାସ୍ତା ଅବରୋଧ

ବାହାନଗା,୨୩।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧୀନ କଲ୍ୟାଣୀ ପଞ୍ଚାୟତ ଅରଳା ଗ୍ରାମର ଜଣେ ଯୁବକଙ୍କୁ ସୋମବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ନରେନ୍ଦ୍ର ଜେନାଙ୍କ ପୁଅ ପ୍ରଶାନ୍ତ(୩୩)। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, କିଛି ଯୁବକ ସନ୍ଧ୍ୟାରେ ଗୋପାଳପୁର ବଜାରରୁ ପ୍ରଶାନ୍ତକୁ ବାଇକରେ ଜୋର ଜବରଦସ୍ତ ଉଠାଇ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ। ଘରଲୋକଙ୍କ ନିକଟରୁ ଅଭିଯୋଗ ପାଇ ଗୋପାଳପୁର ଫାଣ୍ଡି ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନୂଆପୂର ଗ୍ରାମର ହାଟୁଆଣି ଛକ ପୋଲ ନିକଟରୁ ମୁର୍ମୂଷୁ ଅବସ୍ଥାରେ ପ୍ରଶାନ୍ତଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ଗୋପାଳପୁରରଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ବୁତ୍ତମାନେ ପ୍ରଶାନ୍ତ ମୁଣ୍ଡ, ଗୋଡ଼, ହାତକୁ ଧାରୁଆ ଅସ୍ତ୍ରରେ ହାଣିବା ସହିତ କ୍ଷତ ସ୍ଥାନକୁ ପୁନର୍ବାର ସିଲେଇ କରିଥିବାର ଦେଖିବାକୁ ମିଳିଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଏ ନେଇ ଥାନାରେ ଏକ ମାମଲା (କେସ୍‌ ନଂ. ୯୨/୨୧) ରୁଜୁ ହୋଇଛି। ମାମଲା ରୁଜୁ ପରେ ପୋଲିସ ନୂଆପୂର ଗ୍ରାମର ୩ ଜଣଙ୍କୁ ଅଟକ ରଖିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମଙ୍ଗଳବାର ସକାଳେ ଅରଳା ଗ୍ରାମବାସୀ ଗୋପାଳପୁର -ତାଳପଦା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ମାତ୍ର ପୋଲିସ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।