ବୋରିସଙ୍କ ନଁ।ରେ ସାଂଘାତିକ ଅଭିଯୋଗ

ଲଣ୍ଡନ, ୧୧ା୭: ବିବାଦୀୟ ହୋଇ ନିକଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍‌ ଜନ୍‌ସନ୍‌ଙ୍କ ବିରୋଧରେ ନୂଆ ଅଭିଯୋଗ ସାମ୍‌ନାକୁ ଆସିଛି। ୨୦୦୮ରେ ବୋରିସ୍‌ ଲଣ୍ଡନ ମେୟର ଥିବାବେଳେ କ୍ଷମତାର ଅପବ୍ୟବହାର କରି ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ଏକ ସିଟି ହଲ୍‌ରେ ଚାକିରି ଦେବା ପାଇଁ ଲବି କରିଥିଲେ।

ସେତେବେଳେ ସିଟି ହଲ୍‌ର ଜଣେ ବରିଷ୍ଠ କର୍ମଚାରୀ କିଟ୍‌ ମାଲ୍ଟହାଉସ୍‌ (ବର୍ତ୍ତମାନ ବୋରିସ୍‌ଙ୍କ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ) ଏହାକୁ ବିରୋଧ କରିବାରୁ ସମ୍ପୃକ୍ତା ମହିଳାଙ୍କୁ ଚାକିରି ମିଳି ନ ଥିଲା। ମହିଳା ଜଣକ ୨୦୧୭ରେ ‘ମି ଟୂ ମୁଭ୍‌ମେଣ୍ଟ’ ବେଳେ ବୋରିସ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେହିପରି ବୋରିସ୍‌ ବହିର୍ବ୍ୟାପାର ମନ୍ତ୍ରୀ ଥିବାବେଳେ ବର୍ତ୍ତମାନର ସ୍ତ୍ରୀ କ୍ୟାରି ଜନ୍‌ସନ୍‌ଙ୍କୁ ୨୦୧୮ରେ ଚିଫ୍‌ ଷ୍ଟାଫ୍‌ କରିବା ପାଇଁ ମଧ୍ୟ ଚାପ ପକାଇଥିଲେ। ସେତେବେଳେ ଉଭୟେ ପ୍ରେମ ସମ୍ପର୍କରେ ଥିଲେ। ଆମେରିକୀୟ ବିଜ୍‌ନେସ୍‌ ଓମ୍ୟାନ ଜେନିଫର ଆର୍କ୍ୟୁରିଙ୍କ ସହ ମଧ୍ୟ ବୋରିସ୍‌ଙ୍କ ସମ୍ପର୍କ ଥିଲା।

ସେ ଟିକସଦାତାଙ୍କ ଅର୍ଥରେ ଆୟୋଜିତ ବିଜ୍‌ନେସ୍‌ ଟ୍ରିପ୍‌ରେ ଜେନ୍ନିଫରଙ୍କୁ ସାମିଲ କରିବା ପାଇଁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ଆସିଛି। ଲକଡାଉନ୍‌ ପାର୍ଟି, ଦଳୀୟ ଏମ୍‌ପିଙ୍କ ସେକ୍ସ ସ୍କାଣ୍ଡାଲ ସହ ଅନେକ ଦୁର୍ନୀତି ଅଭିଯୋଗ ଆସିବା ପରେ ବୋରିସ୍‌ଙ୍କୁ ନିଜ ଦଳରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏଥିପାଇଁ ସେ ଗତ ୭ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Share