Categories: ଜାତୀୟ

ଫେବୃୟାରୀ ୧୫କୁ ଘୁଞ୍ଚିଲା ଫାସ୍‌ଟାଗ୍‌

ନୂଆଦିଲ୍ଲୀ, ୧।୧:ଜାତୀୟ ରାଜପଥଗୁଡ଼ିକରୁ ଫାସ୍‌ଟାଗ୍‌ ମାଧ୍ୟମରେ ଶତପ୍ରତିଶତ ଟୋଲ୍‌ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫ ଯାଏ ବୃଦ୍ଧି କରିଛନ୍ତି। ଏନେଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)କୁ ମନ୍ତ୍ରଣାଳୟ ଜଣାଇଦେଇଛି। ବର୍ତ୍ତମାନ ସୁଦ୍ଧା ୭୦ରୁ ୮୦ ପ୍ରତିଶତ ଟୋଲ୍‌ ସଂଗ୍ରହ ଫାସ୍‌ଟାଗ୍‌ରେ ହେଉଛି। ଫେବୃୟାରୀ ୧୫ରୁ ୧୦୦% ଫାସ୍‌ଟାଗ୍‌ ଟୋଲ ସଂଗ୍ରହ ପାଇଁ ଏନ୍‌ଏଚ୍‌ଏଆଇ ଆବଶ୍ୟକ ନିୟମାବଳୀ ପ୍ରଣୟନ କରିପାରିବ ବୋଲି ମନ୍ତ୍ରଣାଳୟ କହିଛି। ୨୦୨୧ ଜାନୁୟାରୀ ୧ରୁ ଫାସ୍‌ଟାଗ୍‌ ମାଧ୍ୟମରେ ସମ୍ପୂର୍ଣ୍ଣ ଟୋଲ୍‌ ସଂଗ୍ରହ ଲାଗି ପୂର୍ବରୁ ଘୋଷଣା କରାଯାଇଥିଲା। ଟୋଲ୍‌ ପ୍ଲାଜାଗୁଡ଼ିକରେ ନିର୍ବିଘ୍ନରେ ଯାତାୟାତ ଲାଗି ୨୦୨୧ ବର୍ଷର ପ୍ରଥମ ଦିନରୁ କ୍ୟାଶ୍‌ଲେସ୍‌ କାରବାର ପାଇଁ ବିଭାଗୀୟ ମନ୍ତ୍ରୀ ନୀତୀନ ଗଡ଼କରି ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ନଭେମ୍ବରରେ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ଜାନୁୟାରୀ ୧ରୁ ଫାସ୍‌ଟାଗ୍‌ ବାଧ୍ୟତାମୂଳକ ବୋଲି ଗଡ଼କରୀ ଡିସେମ୍ବର ୨୫ରେ ଘୋଷଣା କରିଥିଲେ। ୪ ବ୍ୟାଙ୍କ ପକ୍ଷରୁ ୨୦୧୬ରେ ୧ ଲକ୍ଷ ଫାସ୍‌ଟାଗ୍‌ ଇସ୍ୟୁ ହୋଇଥିଲା। ୨୦୧୮ ସୁଦ୍ଧା ଏହି ସଂଖ୍ୟା ୩୪ ଲକ୍ଷରେ ପହଞ୍ଚତ୍ଥିଲା।

Share