ଧୂଳି ଲେପରେ ଫାଷ୍ଟଫୁଡ୍‌ ଷ୍ଟଲ, ବାସି ଖାଦ୍ୟ

ମହାକାଳପଡ଼ା,୧୭ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ପଣା ସଂକ୍ରାନ୍ତିଠାରୁ ଝାମୁଯାତ୍ରା ଚାଲିଛି। ଏହି ଅବସରରେ ମେଳାରେ ବହୁସଂଖ୍ୟାରେ ଦୋକାନ ବଜାର ପଡିଥିବା ବେଳେ ବ୍ୟବସାୟୀମାନେ ପସରା ମେଲାଇଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଦିନ ସାରା ଗୁଳିଗୁଳି ହେଉଛି। ଶ୍ରଦ୍ଧାଳୁମାନେ ସା ହେଲେ ମା’ଙ୍କ ପୀଠକୁ ଦର୍ଶନ କରିବା ପାଇଁ ଆସୁଛନ୍ତି। ମେଳାରେ ବିଭିନ୍ନ ପ୍ରକାର ଦୋକାନ ମଧ୍ୟରେ ହୋଟେଲ, ଜଳଖିଆ ଦୋକାନ, ଫାଷ୍ଟ ଫୁଡ୍‌ ଷ୍ଟଲ୍‌, ଲସି ସରବତ, ଗୁପ୍‌ଚୁପ୍‌ ସମେତ ଭୋଗ ଦୋକାନ ରହିଛି। ସାଧାରଣତଃ ଛୋଟ ଛୋଟ ପିଲା, ମହିଳା, ଯୁବତୀ, ଯୁବକମାନଙ୍କ ଫାଷ୍ଟ ଫୁଡ୍‌ ଷ୍ଟଲ୍‌ରେ ଭିଡ଼ ପରିଲକ୍ଷିତ ହେଉଛି। ଫାଷ୍ଟ ଫୁଡ୍‌ ହେଉ କି ହୋଟେଲ ଖାଦ୍ୟର ମାନ ନେଇ ପ୍ରଶ୍ନ ଉଠିଛି। କାରଣ ଖାଦ୍ୟ ପ୍ରସ୍ତୁତିରେ ରାସାୟନିକ ରଙ୍ଗ, ଅପମିଶ୍ରିତ ପାଣି, ଦିନ ସାରା ପବନରେ ଧୂଳି ଉଡି ଘୋଡା ଯାଇ ନ ଥିବା ଖାଦ୍ୟରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଖାଦ୍ୟରେ ରାସାୟନିକ ରଙ୍ଗ ବ୍ୟବହାର କରି ବାସିଖାଦ୍ୟକୁ ଗରମ କରି ଗ୍ରାହକମାନଙ୍କୁ ବିକ୍ରି କରୁଛନ୍ତି। ବର୍ଷରେ ଥରେ ମେଳା ଅନୁଷ୍ଠିତ ହୋଇଥାଏ। ଏହି ମେଳାରୁ ଫାଷ୍ଟ ଫୁଡ୍‌ ଖାଦ୍ୟର ମଜା ଉଠାଇବା ପାଇଁ ଲୋକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଏହି ମେଳାରେ ପସରା ମେଲାଇଥିବା ଦୋକାନ ଗୁଡ଼ିକ ଯାଞ୍ଚ କରିବାରେ ବିଫଳ ହୋଇଛନ୍ତି ବୋଲି ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି। ସ୍ବାଇଁ କହିବା କଥା, ଏହି ମେଳାରେ ଖାଦ୍ୟରେ ରାସାୟନିକ ରଙ୍ଗ, ପିଇବା ପାଣି ଆଦି ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହାକୁ ସାଧାରଣ ଲୋକମାନେ ଖାଇବା ଦ୍ୱାରା ପେଟ ରୋଗ ଆଶଙ୍କା ରହିଛି। ତୁରନ୍ତ ଜିଲା ଫୁଡ୍‌ ସେଫ୍ଟି ତଦନ୍ତକାରୀ ଅଧିକାରୀ ଟିମ୍‌ ଝାମୁଯାତ୍ରାରେ ପସରା ମେଲାଇ ଥିବା ଖାଦ୍ୟ ଷ୍ଟଲ୍‌ଗୁଡିକ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି।