Categories: ଜାତୀୟ

ଜମ୍ମୁ-କଶ୍ମୀରରେ ନିର୍ବାଚନ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଲେ ଫାରୁକ୍‌

ଶ୍ରୀନଗର, ୮ା୫ : ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ବିଳମ୍ବ ହେବା ପଛର କାରଣକୁ ନେଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ରବିବାର ପ୍ରଶ୍ନ ଉଠାଇଛନ୍ତି। ଜମ୍ମୁ-କଶ୍ମୀରରେ ତୁରନ୍ତ ଏକ ନିର୍ବାଚିତ ସରକାର ଆବଶ୍ୟକ ଥିବା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ କହିଛନ୍ତି। ଭାଜପା ନେତା ୫୦ ପ୍ରତିଶତ ଆସନ ଜିତିବେ ବୋଲି ଖୋଲାଖୋଲି ଘୋଷଣା କରୁଥିବାବେଳେ ନିର୍ବାଚନ କରାଇବାରେ କିଏ ଅଟକାଉଛି ବୋଲି ଫାରୁକ୍‌ ପ୍ରଶ୍ନ କରିଛନ୍ତି। ଉପମହାଦେଶରେ ସ୍ଥାୟୀ ଶାନ୍ତି ସୁନିଶ୍ଚିତ କରିବା ଲାଗି ପାକିସ୍ତାନ ସହ ଆଲୋଚନା ଆରମ୍ଭ କରିବା ଉପରେ ଅବଦୁଲ୍ଲା ଜୋର୍‌ ଦେଇଥିଲେ। ଦେଶରେ ମାନବାଧିକାରରେ ଅବନତି ଦେଖାଦେବା ସହ ଧର୍ମୀୟ ଅସହିଷ୍ଣୁତା ଓ ଦୁର୍ନୀତି ବଢ଼ିଚାଲିଛି। ଭାରତ ଭଳି ମହାନ ଦେଶ ପାଇଁ ଏସବୁ ଶୁଭ ସଙ୍କେତ ନୁହେଁ। ଜମ୍ମୁ-କଶ୍ମୀରରେ ଯଦି ସବୁକିଛି ଠିକ୍‌ ଚାଲିଛି, ତେବେ ନିର୍ବାଚନ କରାଇବାରେ ବିଳମ୍ବ କାହିଁକି। ଜମ୍ମୁ-କଶ୍ମୀରରେ ଜଣେ ଉପରାଜ୍ୟପାଳ ଓ ତାଙ୍କର ଉପଦେଷ୍ଟାମାନେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରିପାରିବେ ନାହିଁ। ଏହା ଏକ ଅମଲାତାନ୍ତ୍ରିକ ସରକାରରେ ପରିଣତ ହୋଇଥିବା ଫାରୁକ୍‌ କହିଛନ୍ତି।

Share