ପଡ଼ିଆ ପଡ଼ିଛି ଚାଷଜମି

ବନ୍ତ, ୩ା୯(ଡି.ଏନ.ଏ.):  ଭଦ୍ରକ ଜିଲା ବନ୍ତ ବ୍ଲକର ବହୁ ଚାଷଜମି ଧାନ ତଳି ଅଭାବରୁ ପଡ଼ିଆ ପଡ଼ିଛି। ସରକାରୀ ବିହନ ଗଜା ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଏହି ବ୍ଲକର ମୋଟ ୧୮ ହଜାର ୯୧୫ ହେକ୍ଟର ଚାଷଜମି ରହିଛି। ସେଥିମଧ୍ୟରୁ ୧୭ ହଜାର ୬୨ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଚଳିତ ଖରିଫ ଧାନ ଚାଷ ପାଇଁ ଚାଷୀମାନେ ସରକାରୀ ବିହନ କିଣି ଧାନ ତଳି ପକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଉକ୍ତ ବିହନରୁ ୯୦ ପ୍ରତିଶତ ଗଜା ହୋଇ ନ ଥିଲା। ଫଳରେ ଚାଷୀମାନେ ନିରାଶ ହୋଇଥିଲେ। ସେମାନେ ଅନ୍ୟ ଚାଷୀମାନଙ୍କଠାରୁ ବିହନ କିଣି ଧାନ ଗଜା କରି ତଳି ପକାଇଥିଲେ। ଏହାମଧ୍ୟରେ ଲଘୁଚାଷ ବର୍ଷା ଦାଉ ସାଧିଲା। ଲଗାଣ ବର୍ଷା ଯୋଗୁ ବହୁ ଚାଷୀଙ୍କର ତଳି ନଷ୍ଟ ହୋଇଗଲା। ଯାହା କିଛି ତଳି ହେଲା ତାହା ସମୁଦ୍ରକୁ ଶଙ୍ଖେ ଭଳି। ଚାଷଜମି ତୁଳନାରେ ତଳି କମ୍‌ ହେବାରୁ ସେମାନେ ଏଣେତେଣେ ତଳି ସଂଗ୍ରହ କରିବାକୁ ଉଦ୍ୟମ କଲେ। ଏପରିକି ଗୋଟିଏ ତଳି ପଟାଳିକୁ ୧୫ ଶହରୁ ୨୫ ଶହ ଟଙ୍କା ଦେଇ କିଣି ଧାନ ରୋଇଥିଲେ। ତଳି ସଂଗ୍ରହ ପାଇଁ ଚାଷୀମାନେ ପଡ଼ୋଶୀ ବ୍ଲକକୁ ମଧ୍ୟ ଯାଉଥିବା ଦେଖାଯାଇଛି। ଅପରପକ୍ଷେ ତଳି ପକାଇଥିବା ଓ ଧାନ ରୋଇବା ପାଇଁ ଜମିରେ ତଳି ରଖିଥିବା ଚାଷୀମାନେ ରାତିରେ ନ ଶୋଇ ଜଗି ରହିଥିଲେ। ବହୁ ଚାଷୀଙ୍କର ତଳି ଜମିରୁ ଚୋରି ମଧ୍ୟ ହୋଇଯାଇଛି। ତଳି ଅଭାବ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରା କହିଛନ୍ତି, ସିଡ୍ସ କର୍ପୋରେଶନଠାରୁ ଅଣା ଯାଇଥିବା ବିହନ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ତାଙ୍କଠାରୁ ଆଉ ବିହନ ଅଣାଯିବ ନାହିଁ।