ଚାଷୀଙ୍କୁ ଘାରିଲା କେନାଲ ପାଣି ଚିନ୍ତା: ପ୍ରଭାବିତ ଧାନ ଫସଲର ନମୁନା ଧରି ଜିଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ଚାଷୀ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ୧୧ତାରିଖ କେନାଲ ପାଣି ଯୋଗାଣ ବନ୍ଦ ରହିବ। କେନାଲ ପାଣି ବନ୍ଦ ରହିବାକୁ ଆଉମାତ୍ର ୫ଦିନ ବାକି ରହିଛି। ଅନ୍ୟପଟେ ଏବେ ମଧ୍ୟ କେନାଲ ତଳିମୁଣ୍ଡରେ ରହିଥିବା ଅନେକ ଧାନ ଫସଲ ଗର୍ଭଣୀ ଅବସ୍ଥାରେ ରହିଛି। ଏଭଳି ସମୟରେ କେନାଲରେ ପାଣି ଯୋଗାଣ ବନ୍ଦ ରହିବା ସୂଚନା ପାଇବା ପରେ କେନାଲ ତଳିମୁଣ୍ଡରେ ରହିଥିବା ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଏହି କ୍ରମରେ ମଙ୍ଗଳବାର ଜିଲାର ଭେଡ଼େନ ବ୍ଲକ ଦେଶଭଟଲି ପଞ୍ଚାୟତର ସରପଞ୍ଚ ତୋଷବନ୍ତ ସାହୁଙ୍କ ନେତୃତ୍ୱରେ ଏକ ଚାଷୀ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ ହୋଇଛି। କେନାଲ ପାଣି ଯୋଗାଣ ଅବଧିକୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଦାବିରେ ସେମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୩୦ତାରିଖ ସନ୍ଧ୍ୟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ କରିବା ପାଇଁ କେନାଲ ବିଭାଗ ନିଷ୍ପତ୍ତି ନେଇଥିଲା। କିନ୍ତୁ ସଂଯୁକ୍ତ କୃଷକ ସଂଗଠନର ଦାବି ଏବଂ ଜିଲା କୃଷି ଅଧିକାରୀଙ୍କ ପତ୍ରସଂଖ୍ୟା-୧୭୪୪, ତା-୨୯।୪।୨୦୨୪କୁ ବିଚାରକୁ ନେଇ କେନାଲ ବିଭାଗ କେନାଲ ପାଣି ଯୋଗାଣ ଅବଧିକୁ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ତେବେ ଦେଶଭଟଲି ପଞ୍ଚାୟତ ଅନ୍ତର୍ଗତ ଉଦେପୁର, ସାଲନା, ଦେଶ ଭଟଲି, ଦେଶ ପଥର୍ଲା, ଦେଶ କୁମ୍ଭାରୀ ସମେତ ବିଭିନ୍ନ ଅଞ୍ଚଳର ଧାନ ଫସଲ ପାଣି ଅଭାବରୁ ଆସନ୍ନ ମରୁଡ଼ିର ସମ୍ମୁଖୀନ ହୋଇଛି। ଏଭଳି ସ୍ଥିତିରେ କେନାଲ ପାଣିକୁ ସମ୍ପୁର୍ଣ୍ଣ ବନ୍ଦ କରି ଦିଆଗଲେ ଧାନ ଫସଲ ସମ୍ପୁର୍ଣ୍ଣ ଉଜୁଡ଼ି ଯିବ ବୋଲି ଚାଷୀମାନେ କହିଛନ୍ତି। ଫଳରେ କେନାଲ ପାଣି ଅବଧିକୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି ସହିତ ରାତ୍ରି ସମୟରେ ନିରବଚ୍ଛିନ୍ନ ପାଣି ଯୋଗାଣ ସହିତ ବିଭାଗୀୟ କର୍ମଚାରୀମାନେ ମଧ୍ୟ ତାର ତଦାରଖ କରିବାକୁ ଦାବି ହୋଇଛି। ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚ ସାହୁଙ୍କ ସମେତ ସ୍ଥାନୀୟ ୱାର୍ଡ଼ସଭ୍ୟ ଏବଂ ଚାଷୀ ପ୍ରତିନିଧି ଉପସ୍ଥିତ ଥିବାବେଳେ ପାଣି ଅଭାବରୁ ନଷ୍ଟ ହେଉଥିବା ଧାନ ଫସଲ ନମୁନା ମଧ୍ୟ ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

 

Dharitri – Odisha’s No.1 Odia Daily

 

Share