ନୂଆଦିଲ୍ଲୀ,୩୦ା୫:ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଖୁବ୍ଶୀଘ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚାଳିତ ଏକ ଆପ୍ ଲଞ୍ଚ କରାଯିବ। ‘ମୌସମ୍ ଜିପିଟି’ ନାମକ ଏହି ଆପ୍ ଜରିଆରେ ସ୍ଥାନୀୟ ପାଣିପାଗ ସମ୍ପର୍କିତ ସୂଚନା ଆଞ୍ଚଳିକ ଭାଷାରେ ଯୋଗାଇ ଦିଆଯିବ। ଉକ୍ତ ସୂଚନା ଉଭୟ ଟେକ୍ଟ ଓ ଅଡିଓ ଫର୍ମାଟରେ ଆସିବ। ଏହାଦ୍ୱାରା କୃଷକମାନେ ନିଜ ମୋବାଇଲ ଫୋନ୍ରେ ଆପ୍ ଇନ୍ଷ୍ଟଲ କରି ପାଣିପାଗ ସମ୍ପର୍କିତ ସୂଚନା ମାତ୍ର ୨ କିମ୍ବା ୩ଟି ବଟନ୍ ଦବାଇ ପାଇପାରିବେ। ଏହା ଆସନ୍ତା ୬ ମାସ ଭିତରେ ଉଭୟ ସ୍ମାର୍ଟ ଫୋନ୍ ଓ ବେସିକ୍ ଫିଚର ଫୋନ୍ରେ ଉପଲବ୍ଧ ହେବ ବୋଲି ବୁଧବାର ଭୂବିଜ୍ଞାନ ସଚିବ ଏମ୍. ରବିଚନ୍ଦ୍ର ସୂଚନା ଦେଇଛନ୍ତି।
ଆଇଏମ୍ଡିରୁ ମୋବାଇଲ୍ ଆପ୍ ମୌସମ ଜିପିଟିରେ ପାଣିପାଗ ସମ୍ପର୍କିତ ସୂଚନା ପାଇବା ଦ୍ୱାରା କୃଷକମାନେ ବିହନ ବୁଣାଠାରୁ ନେଇ ଫସଲ ଅମଳ ପର୍ଯ୍ୟନ୍ତ ଲାଭାନ୍ବିତ ହେବେ। ବିଶେଷକରି ଗ୍ରାମାଞ୍ଚଳର ଲୋକେ ଏଥିରୁ ଅନେକ ସୁବିଧା ପାଇପାରିବେ। ବର୍ଷା ହେବ କି ନାହିଁ ସେନେଇ ଯାତ୍ରୀମାନେ ମଧ୍ୟ ଆଡ୍ଭାଇଜରି ପାଇବେ ଏବଂ ନିଜ ଯୋଜନା ଓ ସୁରକ୍ଷାରେ ଉନ୍ନତି ଆଣିପାରିବେ।
ଭାରତରେ ମୋଟ ୧୪୫ ନିୟୁତ ଚାଷୀ ରହିଛନ୍ତି। ଜମି ମାଲିକ ଚାଷୀଙ୍କ ସଂଖ୍ୟା ପ୍ରାୟ ୮୬ ନିୟୁତ ବୋଲି ସଦ୍ୟ କୃଷି ସେନ୍ସସ ଡେଟାରୁ ଜଣାପଡ଼ିଛି। ରବିଚନ୍ଦ୍ର ଆହୁରି କହିଛନ୍ତି, ଏହାବ୍ୟତୀତ ଆଇଏମ୍ଡି ୨ଟି ବହୁବିଷୟକ ସାମୁଦ୍ରିକ ଗବେଷଣା ଜାହାଜ କିଣିବାକୁ ଯାଉଛି। ପ୍ରତ୍ୟେକ ଜାହାଜର ମୂଲ୍ୟ ୧,୦୦୦ କୋଟି ଟଙ୍କା ରହିବ। ଏଥିସହ ବର୍ତ୍ତମାନର ମୈତ୍ରି ବେସ୍ ନିକଟରେ ୨୦୨୯ ସୁଦ୍ଧା ଏକ ନୂଆ ଆଣ୍ଟାର୍କଟିକ୍ ରିସର୍ଚ୍ଚ ସେଣ୍ଟର ‘ମୈତ୍ରି-୨’ ମଧ୍ୟ ପ୍ରତିଷ୍ଠା କରାଯିବ। ଏଥିରେ ୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।
ମନ୍ସୁନ୍ ଜିପିଟି
ମୌସମ୍ ଜିପିଟିର ଆର୍ଲି ଭର୍ସନ ‘ମନ୍ସୁନ୍ ଜିପିଟି’ ବିକଶିତ ହୋଇସାରିଛି। ଫିଚର ଫୋନ୍ ଓ ସ୍ମାର୍ଟଫୋନ୍ଗୁଡ଼ିକରେ ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ଏଥିରେ ଆଉ କିଛି କାମ ବାକି ଅଛି। ଉଦାହରଣସ୍ବରୂପ ଜଣେ କ୍ଷୁଦ୍ରଚାଷୀ ଏକ ସାଧାରଣ ଫୋନ୍ରେ ୨/୩ଟି ବଟନ୍ ଦବାଇବା ପରେ ଯେପରି ପାଣିପାଗ ସୂଚନା ପାଇପାରିବେ, ସେଥିଲାଗି ଉଦ୍ୟମ ଜାରି ରହିଛି। ଟେଲିକମ୍ ଟାଓ୍ବାର ବ୍ୟବହାର କରି ଏହି ବ୍ୟବସ୍ଥା କଲରଙ୍କ ଅବସ୍ଥିତି ଠାବ କରିପାରିବ। ଏହା ପରେ ସ୍ଥାନୀୟ ଭାଷାରେ ସରଳ ଭାବେ ପାଣିପାଗ ପୂର୍ବାନୁମାନ କରି ଉଭୟ ଲିଖିତ ଓ ମୌଖିକ ଭାବେ ଜଣାଇଦେବ।


