ପ୍ରଧାନମନ୍ତ୍ରୀ କିଷାନ ସହାୟତାରୁ ବଞ୍ଚିତ ହେବେ ଚାଷୀ

ରସୁଲପୁର,୧୭ା୯(ରଞ୍ଜିତ ରାଉତ) ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୬ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଇ-କେୱାଇସି(ଅନ୍‌ଲାଇନରେ-ନୋ ୟୋର କଷ୍ଟମର) ଯାଞ୍ଚ ହୋଇନାହିଁ। ଉକ୍ତ ଚାଷୀମାନେ ତୁରନ୍ତ ଜନସେବା କେନ୍ଦ୍ର ଓ ମୋ ସେବାକେନ୍ଦ୍ରକୁ ଯାଇ ଇ-କେୱାଇସିକୁ ଯାଞ୍ଚ କରାଇ ନେବାକୁ ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ବିଳମ୍ବ ହେଲେ ସମ୍ପୃକ୍ତ ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସହାୟତାରୁ ବଞ୍ଚତ୍ତ ହେବ ବୋଲି କୁହାଯାଉଛି। ଏହାଛଡା କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ଚାଷ ସମ୍ପର୍କିତ ରିହାତି ସହାୟତା ସେମାନଙ୍କ ଜମାଖାତାକୁ ଡିବିଟି/ଏବିପିଏସ ଜରିଆରେ ପ୍ରଦାନ କରିବା ସମ୍ଭବପର ହୋଇପାରିବ ନାହିଁ। ତୁରନ୍ତ ଚାଷୀମାନେ ସେମାନଙ୍କ ଇ-କେୱାସିକୁ ଯାଞ୍ଚ କରାଇ ଚାଷୀ ପଞ୍ଜିକରଣ ପୋର୍ଟଲାକୁ ଅପ୍‌ ଟୁ ଡେଟ୍‌ କରାଇନେବା ଉପରେ ଗୁରୁତ୍ୱ କୁହାଯାଉଛି। ଏ ଦିଗରେ ତୃଣମୂଳସ୍ତରରେ କାର୍ଯ୍ୟରତ କୃଷି କର୍ମଚାରୀମାନେ ଚାଷୀମାନଙ୍କୁ ସଚେତନ କରାଇବା ସହ ପଞ୍ଚାୟତର ଜନ ପ୍ରତିନିଧିଙ୍କ ଜରିଆରେ ଚାଷୀମାନଙ୍କୁ ସୂଚନା ଦେବାକୁ ବ୍ଲକ କୃଷି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।

ରସୁଲପୁର ବ୍ଲକରେ ଭୂମୀହୀନ ଚାଷୀ ପରିବାରକୁ ବାଦ୍‌ ଦେଲେ ପ୍ରାୟତଃ ୩୦ହଜାରରୁ ଊର୍ଦ୍ଧ୍ୱ ଚାଷୀ ପରିବାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଜରିଆରେ ଆର୍ଥତ୍କ ସହାୟତା ପାଉଛନ୍ତି। ତେବେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଯୋଜନାରେ ସାମିଲ ହେବା ନେଇ ଜନ ଅଭିଯୋଗ ଶୁଣାଣି କରାଯାଉଛି। ଏହି ଜରିଆରେ ବ୍ଲକ ଅଞ୍ଚଳରୁ ଶତାଧିକ ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରିବା ପାଇଁ ଯୋଜାନରେ ଅନ୍ତର୍ଭୁକ୍ତ କରାଯାଉଛି। ଉକ୍ତ ହିତାଧିକାରୀମାନେ ପିଏମ୍‌ କିଷାନ ଯୋଜନାରେ ସାମିଲ କରିବା ସମୟରେ ଇ-କେୱାସିର ଆବଶ୍ୟକତା ପଡୁଛି। ଆଧାର ନମ୍ବର ସହ ଚାଷୀର ମୋବାଇଲ ନମ୍ବର ସଂଯୋଗ କରାଯାଇଥିଲେ ଇ-କେୱାସି ଅତି ସହଜରେ ହୋଇପାରୁଛି। କେତେଜଣ ଚାଷୀଙ୍କ ଅଦ୍ୟାବଧି ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ କି ଇ-କେୱାସି ନିୟମକୁ ପାଳନ କରାଯାଇ ନାହିଁ। ଏହି କାରଣରୁ ବ୍ଲକ ଅଞ୍ଚଳରୁ ଶତାଧିକ ଚାଷୀ ପିଏମ୍‌ କିଷାନରୁ ବଞ୍ଚତ୍ତ ହେଉଥିବା କୁହାଯାଉଛି। ପ୍ରତ୍ୟେକ ଚାଷୀ ସେମାନଙ୍କ ପଞ୍ଚାୟତରେ କାର୍ଯ୍ୟରତ କୃଷକସାଥୀ, ଗ୍ରାମ କୃଷି କର୍ମଚାରୀମାନଙ୍କ ନିକଟରେ ଇ-କେୱାଇ ତାଲିକାକୁ ଯାଞ୍ଚ କରି ନିଅନ୍ତୁ। ଯେଉଁମାନଙ୍କର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରି ନାହିଁ ସେମାନେ ତୁରନ୍ତ ସେବାକେନ୍ଦ୍ରକୁ ଯାଇ ଆଧାର କାର୍ଡ ସହ ଆବଶ୍ୟକ ଅନ୍ୟ ପ୍ରମାଣପତ୍ର ପ୍ରଦାନକରି ଯୋଜନାରେ ସାମିଲ ହେବାକୁ ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି।