ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଅନ୍ୟବର୍ଷ ଅପେକ୍ଷା ଏଥର ଧାନବିକ୍ରି ଟୋକନରେ ହୋଇଥିବା ଅନିୟମିତତା ଚାଷୀଙ୍କୁ ଅଡୁଆରେ ପକାଇ ଦେଇଛି। ଅନେକ ଚାଷୀଙ୍କ ଧାନବିକ୍ରି ଟୋକନକୁ ବ୍ଲକ କରି ଦିଆଯାଇଛି। ସେହିପରି ଅଧିକାଂଶ ଚାଷୀଙ୍କ ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣକୁ ଯଥେଷ୍ଟ ହ୍ରାସ କରାଯାଇଛି। ଫଳରେ ଧାନ ବିକ୍ରିବଟାରେ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି। ଏଭଳି ଅଭିଯୋଗ ନେଇ ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନର ଶତାଧିକ ଚାଷୀ ସୋମବାର ଜିଲାର ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟଙ୍କ ପାଖକୁ ଯାଇଥିଲେ। ସପ୍ତାହକ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ଆଚାର୍ଯ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜୟ କିଷାନ ଆନ୍ଦୋଳନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାର ତୁରନ୍ତ ସମାଧାନ କରା ନଗଲେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ଏହି ଚାଷୀ ସଂଗଠନ ଚେତାବନୀ ଦେଇଛି। ସୂଚନା ଅନୁଯାୟୀ, ଜିଲାର ମୋଟ ୧ଲକ୍ଷ ୫ହଜାର ୪୭୪ ଚାଷୀ ଧାନ ବିକ୍ରି ପଞ୍ଜୀକରଣ କରିଥିବାବେଳେ ପ୍ରାୟ ୭ହଜାରରୁ ଊଦ୍ଧର୍ବ ଚାଷଙ୍କ ଟୋକନ ବ୍ଲକ ହୋଇଛି। ଭଟଲି ନିର୍ବାଚନ ମଣ୍ଡଳୀରେ ରହିଥିବା ୧୨ପାକ୍ସର ୨୨୦୦ରୁ ଊଦ୍ଧର୍ବ ଚାଷୀଙ୍କ ଟୋକନ ଏଭଳି ବ୍ଲକ ହୋଇଯାଇଛି। ଅନ୍ୟପକ୍ଷରେ ୮୦ଭାଗ ଚାଷୀଙ୍କ ଟୋକନ କମ ଆସିଥିବା ବେଳେ ଅନେକ ଚାଷୀଙ୍କ ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୩ରୁ ୪ କୁଇଣ୍ଟାଲ ମଧ୍ୟରେ ସୀମିତ ରହିଛି। ଏପରି ପରିସ୍ଥିତିରେ ଚାଷୀ ଯଦି ଉପଯୁକ୍ତ ଟୋକନ ପାଇବ ନାହିଁ ,ତାହେଲେ ସେ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବା ସହ ବାହାରେ ବେପାରୀମାନଙ୍କଠାରେ ଅତି କମ ଦରରେ ବିକିବାକୁ ବାଧ୍ୟ ହେବ। ଯାହା କୁଇଣ୍ଟାଲ ପ୍ରତି ସହାୟକ ଦରଠାରୁ ପ୍ରାୟ ୧ହଜାର ଟଙ୍କା କମ ହେବ ବୋଲି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ବହୁ ଅର୍ଥ ଖର୍ଚ୍ଚ କରି ଚାଷୀ ଚାଷ କରି ଯଦି ଉଚିତ ମୂଲ୍ୟରେ ଧାନ ବିକ୍ରି କରିପାରିବ ନାହିଁ, ତାହାହେଲେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭୁଶୁଡ଼ି ପଡ଼ିବ ବୋଲି ଚାଷୀ ପ୍ରତିନିଧିମାନେ କହିଛନ୍ତି। ଏହି ସବୁ ସମସ୍ୟା ବିଷୟରେ ଜୟ କିଷାନ ଆନ୍ଦୋଳନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ ବିଧାୟକ ଆଚାର୍ଯ୍ୟଙ୍କ ସହିତ ଆଲୋଚନା କରିଥିଲେ। ଲିଙ୍ଗରାଜ ଆହୁରି କହିଥିଲେ, ଟୋକନ ବ୍ଲକ ହେବା, ଟୋକନର ପରିମାଣ କମ ହେବା, ଧାନ ବିକ୍ରି ବ୍ୟବସ୍ଥାରେ କେନ୍ଦ୍ରୀକରଣ ଦୁର୍ଭାଗ୍ୟ ଳଜନକ। ଜିଲା ଧାନ ସଂଗ୍ରହ କମିଟି(ଡିଏଲପିସି)କୁ ପୂର୍ବଭଳି କ୍ଷମତା ସଂପନ୍ନ କରାଯାଉ ବୋଲି ସେ ବିଧାୟକ ଆଚାର୍ଯ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ, ଅରୁଣ କୁମାର ସାହୁ, ସୁରେନ୍ଦ୍ର ମେହେର, ଅକ୍ଷୟ ପ୍ରଧାନ, ତପୋବନ୍ତ ନାୟକ, ବିଜୟ ପ୍ରଧାନ, ମିନିଷ୍ଟର୍ ବାରିକ, ଆଶିଷ ମାଝୀ, ଭରତ ଚନ୍ଦ୍ର ନାୟକ, ଶୋଭାକର ସାହୁ, ଅଶୋକ ବିଶ୍ବାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।