ଧାନ ଶୀଘ୍ର ନ ଉଠିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ମାତ୍ର ୪ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା ସମସ୍ୟା ଅସମାହିତ ହୋଇ ରହିଛି। ଜିଲାର ଅନେକ ଚାଷୀଙ୍କ କ୍ଷେତ୍ରରେ ଟୋକନ ପ୍ରମୁଖ ସମସ୍ୟା ପାଲଟିଛି। ଅନ୍ୟପଟେ ଟୋକନ ଆଧାରରେ ଚାଷୀମାନେ ଧାନକ୍ରୟ କେନ୍ଦ୍ର(ମଣ୍ଡି)କୁ ଧାନ ଆଣିଲେ ସୁଦ୍ଧା ତାହା ବିକ୍ରି ହୋଇପାରୁନାହିଁ। ଦୀର୍ଘଦିନ ଧରି ତାହା ମଣ୍ଡିରେ ପଡ଼ି ରହୁଛି ଏବଂ ଏଥିପାଇଁ ସେମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନ ଭେଡ଼େନ ବ୍ଲକର ରେଶମ ମଣ୍ଡି ଉପରେ ନିର୍ଭରଶୀଳ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସେମାନେ ଧାରଣାରେ ବସିଥିଲେ।
ଅତରିକ୍ତ ଜିଲାପାଳ ତଥା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷା ମଧୁଛନ୍ଦା ସାହୁ ଧାରଣାରତ ଚାଷୀଙ୍କ ପାଖକୁ ଆସି ଆଲୋଚନା କରିଥିଲେ। ମଣ୍ଡିରେ ପଡ଼ିଥିବା ସବୁ ଧାନ କିଣାଯାଇ ଉଠାଯିବ ବୋଲି ଅତିରିକ୍ତ ଜିଲାପାଳ ସାହୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପଟେ ମଣ୍ଡିକୁ ଉତ୍ତମ ଗୁଣବତ୍ତା ରହିଥିବା ଧାନ ଆଣିଲେ ସୁଦ୍ଧା ମଣ୍ଡି ଦାୟିତ୍ୱରେ ରହିଥିବା କର୍ମଚାରୀମାନେ ନାନା ଆଳ ଦେଖାଇ କଟନୀଛଟନୀ କରୁଥିବା ଚାଷୀମାନେ ଅଭିଯୋଗ କରିଥିଲେ। ଏ ଦିଗରେ ବିହିତ ପଦକ୍ଷେପ ନିଆଯାଇ ରବିବାର ସୁଦ୍ଧା ରେଶମ ମଣ୍ଡିରେ ପଡ଼ିଥିବା ସବୁଧାନକୁ କିଣା ନ ଗଲେ ସୋମବାର ସେମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।
କେବଳ ରେଶମ ମଣ୍ଡି ନୁହେଁ, ଜିଲାର ଅନ୍ୟ ମଣ୍ଡି ଗୁଡ଼ିକରେ ମଧ୍ୟ ଅନୁରୂପ ସମସ୍ୟା ଲାଗି ରହିଛି। ବିନା କଟନୀଛଟନୀରେ ଧାନ ଉଠାଯାଉନାହିଁ। ଅନ୍ୟପଟେ ତୁହାକୁ ତୁହା ବର୍ଷା ମାଡ଼ି ଆସୁଛି। ଫଳରେ କେତେକ ସ୍ଥାନରେ ଶୁଖାଯାଇଥିବା ଚାଷୀଙ୍କ ଧାନ ମଧ୍ୟ ଭିଜି ଯାଉଛି ଏବଂ ବର୍ଷା ଛାଡ଼ିଲା ପରେ ଚାଷୀମାନେ ପୁଣି ସେହି ଧାନକୁ ଖରାରେ ଶୁଖାଇବାକୁ ବାଧ୍ୟ ହେଉଛନ୍ତି। ତେବେ ମୌସୁମୀ ଆସିବା ପୂର୍ବରୁ ଯଦି ଚାଷୀଙ୍କ ଧାନକୁ କିଣା ନ ଯାଏ, ତେବେ ଅନ୍ୟବର୍ଷ ତୁଳନାରେ ଚାଷୀ ଏଥର ଆହୁରି କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 

Share