ବନ୍ୟାରେ ୨୪ ଘଣ୍ଟା ଧରି ତାଳ ଗଛରେ ଆଶ୍ରୟ ନେଇଥିଲେ ଚାଷୀ, ତା’ପରେ ଘଟିଲା…

ଧାମନଗର,୩୧ା୭(ସନ୍ତୋଷ କୁମାର ମହାପାତ୍ର):ବିଲକୁ ଯାଇ ବନ୍ୟାରେ ଘରକୁ ଫେରିପାରିଲେନି। ଭୟଙ୍କର ବନ୍ୟାରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ୨୪ ଘଣ୍ଟା ଏକ ତାଳଗଛରେ ଆଶ୍ରୟ ନେଇଥିଲେ ଜଣେ ଚାଷୀ। ଶେଷରେ ଓଡ୍ରାଫ ଟିମ୍‌ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଗୁରୁବାର ଭଦ୍ରକ ଜିଲା ଧାମନଗର ବ୍ଲକର ନଦୀଗଁା ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ନଦୀଗଁା ପଞ୍ଚାୟତ ଗୁଣ୍ଡିଚାସାହିର ତ୍ରିଲୋଚନ ସାହୁ ବୁଧବାର ଚାଷକାମ ପାଇଁ ଘରଠାରୁ ଅଳ୍ପ ଦୂରରେ ଥିବା ବିଲକୁ ଯାଇଥିଲେ। ହଠାତ୍‌ ବନ୍ୟାପାଣିର ପ୍ରଖର ବଢ଼ିଯିବାରୁ ସେ ବିଲରୁ ଆସିପାରି ନ ଥିଲେ। ନିକଟରେ ଥିବା ଏକ ତାଳଗଛ ଉପରକୁ ସେ ଚଢ଼ି ଯାଇଥିଲେ। ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ସେ ସେହି ତାଳଗଛ ଉପରେ ଭୋକ, ଶୋଷ ଓ ଭୟ ମଧ୍ୟରେ ସମୟ ବିତାଇଥିଲେ। ଏପଟେ ତ୍ରିଲୋଚନ ଘରକୁ ଫେରି ନ ଆସିବାରୁ ପରିବାର ଲୋକେ ଚିନ୍ତାରେ ପଡ଼଼ିଥିଲେ। ବହୁ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ପରେ ତାଙ୍କ ପୁଅ ସରୋଜ ସାହୁ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଫୋନ୍‌ ଯୋଗେ ବାପା ବିଲ ମଝିରେ ଫସି ରହିଥିବା ଏବଂ ନିଖୋଜ ଥିବା ସମ୍ପର୍କରେ ଜଣାଇଥିଲେ। ଧାମନଗର ଏସ୍‌ଡିପିଓ ବିଷ୍ଣୁଚରଣ ବାରିକଙ୍କ ନେତୃତ୍ୱରେ ୩ଟି ଓଡ୍ରାଫ ଟିମ୍‌ ବୁଧବାର ସାରାରାତି ବନ୍ୟା ପ୍ରଭାବିତ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ଗୁରୁବାର ସକାଳ ପ୍ରାୟ ୯ଟା ସମୟରେ ଓଡ୍ରାଫ ଟିମ୍‌ ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ବିଲ ମଝିରେ ଥିବା ତାଳଗଛ ଉପରୁ ତ୍ରିଲୋଚନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

 

Dharitri – Odisha’s No.1 Odia Daily