ଧାର୍ଯ୍ୟ ସମୟ ପୂର୍ବରୁ ଚାଷୀଙ୍କ ଟୋକନ କଟ୍‌

ପଟ୍ଟାମୁଣ୍ଡାଇ,୨୪ା୩ (ସ୍ବ.ପ୍ର.): ଖରିଫ ଧାନକିଣାରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ପ୍ରକୃତ ଚାଷୀ ସେମାନଙ୍କ ଧାନ ବିକ୍ରି କରି ନ ପାରି ଆର୍ଥତ୍କ କ୍ଷତି ସହୁଛନ୍ତି। ସରକାରଙ୍କ ଧାର୍ଯ୍ୟ ସମୟ ପୂର୍ବରୁ ଚାଷୀମାନଙ୍କର ଟୋକନ କଟିବା ଦ୍ୱାରା ସେମାନେ ସ୍ବଳ୍ପ ଦରରେ ସେମାନଙ୍କ ଧାନକୁ ବେପାରୀଙ୍କ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି। ଜିଲା ଯୋଗାଣ ଅଧିକାରୀ, ସମବାୟ ସମିତି ସହକାରୀ ନିବନ୍ଧକ ଏବଂ କେତେଜଣ ରାଜନେତାଙ୍କ ଅସାଧୁ ମେଣ୍ଟ ଏହି ଦୁର୍ନୀତିରେ ସମ୍ପୃକ୍ତ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ଅସାଧୁ ମେଣ୍ଟ ନିଜକୁ ରକ୍ଷା କରିବା ନ୍ୟାୟରେ ଧାନ ମିଲ୍‌ ମାଲିକଙ୍କ ମୁଣ୍ଡରେ ଅଠା ବୋଳି ଖସି ଯାଇଛନ୍ତି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ଅଧୀନରେ ଥିବା ସେବା ସମବାୟ ସମିତିଗୁଡ଼ିକରେ ଚାଷୀମାନେ ଶୋଷଣ ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିକାର ଦିଗରେ ବିଭାଗୀୟ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ୧୬ଟି ସେବା ସମବାୟ ସମିତି ରହିଛି। ସେଥିରୁ ୧୪ ସେବା ସମବାୟ ସମିତି ଚାଷୀଙ୍କ ପାଖରୁ ଧାନ କ୍ରୟ କରୁଛି। ଚଳିତବର୍ଷ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୧ ଲକ୍ଷ ୭୮ ହଜାର ୪୩୬ କୁଇଣ୍ଟାଲ ୩୨ କିଲୋ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୫,୮୮୩ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ମଙ୍ଗଳବାର ସୁଦ୍ଧା ୧ ଲକ୍ଷ ୭୫ ହଜାର ୬୦୪ କୁଇଣ୍ଟାଲ ୧୪ କିଲୋ ଧାନ କିଣା ଯାଇଥିବା ବେଳେ ଅଧିକାଂଶ ଚାଷୀ ଧାନ ଦେଇ ପାରିନାହାନ୍ତି। ସମବାୟ ସମିତି କର୍ମଚାରୀମାନେ ଦଲାଲ ରଖି ଛୋଟ ଛୋଟ ଚାଷୀଙ୍କ ନାମରେ ରେଜିଷ୍ଟ୍ରେଶନ କରି କୁଇଣ୍ଟାଲ ପ୍ରତି ଚାଷୀଙ୍କୁ ୧୦୦ ଟଙ୍କା ଦେଇ ସେମାନଙ୍କ ଟୋକନ୍‌ କିଣି ନେଉଛନ୍ତି। ଆଉ କେଉଁଠି ପ୍ରକୃତ ଚାଷୀଙ୍କ ଟୋକନ୍‌ ନ କରି ଆଉ କାହା ନାମରେ ଟୋକନ୍‌ କରି ଧାନ ବିକ୍ରି କରି ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି। ମାତ୍ର ପଞ୍ଜୀକୃତ କରିଥିବା ଅଧିକାଂଶ ଚାଷୀଙ୍କ ଧାର୍ଯ୍ୟ ସମୟ ପୂର୍ବରୁ ଟୋକନ୍‌ କଟି ଯାଇଛି। ଆଉ କେଉଁ ଚାଷୀ ଧାନକୁ ଘରେ ପକାଇ ରଖିଥିବା ବେଳେ ଧାନ କ୍ରୟ କରିବା ଲକ୍ଷ୍ୟ ପୂରା ହେଉଛି କିପରି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବଡ଼ପଡ଼ା ସମବାୟ ସମିତିରେ ଗତ ରବିବାର ରାତି ସୁଦ୍ଧା ପ୍ରାୟ ୨୩ ଜଣ ଚାଷୀଙ୍କ ଟୋକନ୍‌ ଅବଧି ଶେଷ ହୋଇଥିଲା। ମାତ୍ର ଜିଲା ଯୋଗାଣ ବିଭାଗକୁ କୌଣସି ଟାର୍ଗଟେ ଦେଇ ନ ପାରିବାରୁ ସେମାନେ ଧାନ ଦେବାରୁ ବଞ୍ଚତ୍ତ ହୋଇଥିଲେ। ଏପରି ଭାବେ ବିଭିନ୍ନ ସମବାୟ ସମିତିରେ ସମାନ ପରିସ୍ଥିତି ହେଉଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଛନ୍ତି। ସେହିପରି ଖଡିଅଣ୍ଟା ସେବା ସମବାୟ ସମିତିରେ କୌଣସି ସଭାପତି ନାହନ୍ତି ନା ସ୍ଥାୟୀ ସମ୍ପାଦକ ନିଯୁକ୍ତି ପାଇନାହାନ୍ତି। ଏହାର ସୁଯୋଗରେ ମନମୁଖି ଭାବେ ଧାନ ବିକ୍ରି କମିଟି ଗଠନ କରିଛନ୍ତି। ଏହି କମିଟିରେ ଚାଷୀଙ୍କୁ ନିଆଯିବା ପରିବର୍ତ୍ତେ ଅଣଚାଷୀଙ୍କୁ ସଭ୍ୟ ରୂପେ ରଖାଯାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିୟମାନୁଯାୟୀ ଧାନର କୁଇଣ୍ଟାଲ ପିଛା ଧାର୍ଯ୍ୟ ଦାମ୍‌ ହେଉଛି ୨୦୪୦ ଟଙ୍କା, ଏପରିସ୍ଥଳେ କଟନି ଛଟନିରେ ୭ ରୁ ୧୦କେଜି ଧାନର ମୂଲ୍ୟ ମିଳୁନାହିଁ। ଯାହାଦ୍ୱାରା ଚାଷୀ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ହେତୁ ବିଭିନ୍ନ ଉପାୟରେ ଚାଷୀଙ୍କୁ ଶୋଷଣ କରାଯାଉଛି। ଫଳରେ ଚାଷୀ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯିବା ନିମନ୍ତେ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ପଚାରିବାରୁ ଯାହା ଟାର୍ଗେଟ ଆସୁଛି ସମସ୍ତଙ୍କୁ ବାଣ୍ଟି କରି ଦିଆଯାଉଛି ବୋଲି ସେ କହିଛନ୍ତି। ଏଆର୍‌ସିଏସ୍‌ ସନ୍ତୋଷ ଦାସଙ୍କୁ ପଚାରିବାରେ ପ୍ରାୟ ୯୦ ପ୍ରତିଶତ ଚାଷୀଙ୍କ ପାଖରୁ ଧାନ କ୍ରୟ ହୋଇସାରିଛି। ଯେଉଁମାନେ ରହିଯାଇଛନ୍ତି ସେମାନଙ୍କ ଧାନ ଖୁବ୍‌ଶୀଘ୍ର କିଣାଯିବ ବୋଲି ସେ କହିଛନ୍ତି।