ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରଗଡ ପୌର ପରିଷଦ ଅଧିନ ୱାର୍ଡ ନମ୍ବର ୧୦ରେ ରହୁଥିବା ସଚ୍ଚିଦାନନ୍ଦ ପାତ୍ର ତାଙ୍କୁ ଧାନ ବିକ୍ରି ଟୋକନ ନ ମିଳିଲେ, ସେ ଆତ୍ମାହୁତି ଦେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ସେ ସୋମବାର ଇ-ମେଲ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇଥିବା ପାତ୍ର କହିଛନ୍ତି। ଟୋକନ ନ ଆସିବାରୁ ସେ ଧାନ ବିକ୍ରି କରି ପାରି ନାହାଁନ୍ତି। ସେହିପରି ତାଙ୍କୁ କାଳିଆ ଯୋଜନାରୁ ମଧ୍ୟ ବାଦ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ମା’ଙ୍କ ଚିକିତ୍ସା, ଘରର ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ତାଙ୍କ ସମସ୍ୟାର ସମାଧାନ ନହେଲେ ସାମୂହିକସ୍ଥଳରେ ଆତ୍ମାହୁତି ଦେବେ ବୋଲି ପାତ୍ର ଚେତାବନୀ ଦେଇଛନ୍ତି ।
ପ୍ରକାଶ ଥାଉକି, ଟୋକନ ସମସ୍ୟା ନେଇ ଏହା ପୂର୍ବରୁ ଜିଲାର ୨ଜଣ ଚାଷୀ ଇଚ୍ଛାମୃତ୍ୟୁ ଆବେଦନ କରିଥିବାବେଳେ ଶନିବାର ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଉଜଣେ ଚାଷୀ କୀଟନାଶକ ପିଇବା ପାଇଁ ଧମକ ଦେଇଥିଲେ।