ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ପଞ୍ଚାୟତର ମାଣିକପୁର ଗ୍ରାମର ମେଧାବୀ ଛାତ୍ର ବିସ୍ମୟ ପଧାନ ଚଳିତ ବର୍ଷର ନିଟ୍-ୟୁଜି (NEET-UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଜଣେ ସାଧାରଣ ଚାଷୀ ପରିବାରରୁ ଆସିଥିବା ବିସ୍ମୟ ୭୨୦ ନମ୍ବରରୁ ୫୭୦ ନମ୍ବର ହାସଲ କରି ଅଲ୍ ଇଣ୍ଡିଆ ରାଙ୍କ (AIR) ୨୩,୫୯୭ ଅଧିକାର କରିଛନ୍ତି।
ବିସ୍ମୟଙ୍କ ପିତା ବଶିଷ୍ଠ ପଧାନ ଜଣେ ଚାଷୀ ଏବଂ ମାତା ତପସ୍ୱିନୀ ପଧାନ ଜଣେ ଗୃହିଣୀ। ଦୁଇ ଭଉଣୀଙ୍କ ମଧ୍ୟରେ ସେ ଏକମାତ୍ର ପୁତ୍ର ଓ ସବୁଠାରୁ ସାନ। ସୀମିତ ଆର୍ଥିକ ସମ୍ବଳ ସତ୍ତ୍ୱେ ଦୃଢ଼ ଇଚ୍ଛାଶକ୍ତି, ଅକ୍ଲାନ୍ତ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ସେ ଏହି ସଫଳତା ହାସଲ କରିପାରିଛନ୍ତି।
ବିସ୍ମୟ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାଣିକପୁର ପ୍ରାଥମିକ ବିଦ୍ୟାଳୟରେ ପଢ଼ିଥିଲେ। ପରେ ଖୋର୍ଦ୍ଧା ଜିଲାର ଗୁଆବାରିସ୍ଥିତ ଋତପଲ୍ଲୀ ବିଦ୍ୟାମନ୍ଦିରରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରି ୯୪.୧୬ ପ୍ରତିଶତ ନମ୍ବର ସହ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଏହାପରେ ବ୍ରହ୍ମପୁରର ନୀଳକଣ୍ଠନଗରସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର ଉଚ୍ଚମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ପରୀକ୍ଷାରେ ୯୫.୩୩ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ।
ଦ୍ୱିତୀୟ ପ୍ରୟାସରେ ଏହି ସଫଳତା ମିଳିଥିବା ବିସ୍ମୟ କହିଛନ୍ତି ଯେ, ପ୍ରତିଦିନ ୧୦ରୁ ୧୨ ଘଣ୍ଟା ନିୟମିତ ଅଧ୍ୟୟନ ଏବଂ ନିଜ ଲକ୍ଷ୍ୟ ପ୍ରତି ଏକାଗ୍ରତା ହିଁ ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇଛି। ଲକ୍ଷ୍ୟ ସ୍ଥିର କରି ନିଷ୍ଠା ଓ ଆତ୍ମବିଶ୍ୱାସର ସହ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳେ ବୋଲି ସେ କହିଛନ୍ତି।
ନିଜର ଏହି କୃତିତ୍ୱ ପାଇଁ ବିସ୍ମୟ ତାଙ୍କ ମାତାପିତା, ବଡ଼ ଭଉଣୀ ଚନ୍ଦ୍ରିକା ଓ ସାଗରିକା, ପରିବାରର ଅନ୍ୟ ସଦସ୍ୟ, ଶିକ୍ଷକ ଏବଂ ସାଙ୍ଗସାଥୀଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଅଞ୍ଚଳବାସୀଙ୍କ ସମେତ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ଡାକ୍ତର ହୋଇ ସମାଜସେବା କରିବା ତାଙ୍କର ଲକ୍ଷ୍ୟ ବୋଲି ବିସ୍ମୟ ପ୍ରକାଶ କରିଛନ୍ତି।