OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ କୁମୁରା ସଫଳତା ଅର୍ଜନ କରିଛନ୍ତି। ଉକ୍ତ ଗ୍ରାମର ଜଣେ ଚାଷୀ ଚନ୍ଦ୍ରମଣି କୁମୁରା ଓ ଦେବକୀ କୁମୁରାଙ୍କ ପୁଅ ନିବାସ ତାଙ୍କ ପ୍ରଥମ ପ୍ରୟାସରେ ୧୭୭ ରାଙ୍କ ରଖି ସଫଳ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି । ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଭୁବନେଶ୍ୱରସ୍ଥିତ ସେଞ୍ଚୁରିଆନ ୟୁନିଭର୍ସିଟିରେ UPSC ପ୍ରସ୍ତୁତି କରିଥିଲେ ଏବଂ ପରେ ଘରେ ରହି OCS ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ବୋଲି ନିବାସ କହିଛନ୍ତି। ଆହୁରି ଭଲ ରାଙ୍କ୍ ମିଳିବ ବୋଲି ତାଙ୍କ ଆଶା ଥିଲା ବୋଲି ସେ କହିଛନ୍ତି। ନିବାସ ନିଜ ଗ୍ରାମର ପ୍ରାଥମିକ ବିଦ୍ୟାଳୟରୁ ପାଠପଢ଼ା ଆରମ୍ଭ କରି ସେଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ଏହାପରେ ରାଉତପଡା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ପଢିଥିବାବେଳେ କମ‌ଗାଁ ହାଇସ୍କୁଲରେ ଅଷ୍ଟମରୁ ଦଶମ ଏବଂ କମ‌ଗାଁ ଯୁକ୍ତଦୁଇ କଲେଜରେ ଯୁକ୍ତଦୁଇ ପାଠପଢ଼ା ସମାପନ କରି ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ସ୍ନାତକ ସାରି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ବରଗଡ଼ ଜିଲାର ଏକ ନିପଟ ମଫସଲ ଗ୍ରାମର ଜଣେ ଚାଷୀଙ୍କ ପୁଅ ନିଜ ପ୍ରଥମ ପ୍ରୟାସରେ ଏଭଳି ସଫଳତା ଅର୍ଜନ କରିବା ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ହୋଇଛି।

Dharitri – Odisha’s No.1 Odia Daily

Share