ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି। ଏହି ଆନ୍ଦୋଳନ ୭ ଦିନ ଧରି ଚାଲିବ ବୋଲି ମହାସଂଘ ଚେତାବନୀ ଦେଇଛି। ଦୁଇ ଦିନ ହେବ ଗାଡ଼ି ଚଳା ଚଳ ବନ୍ଦ ରହିଥିବା ହେତୁ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ଶିକାର ହେଉଛନ୍ତି। ଏପରିକି ଚାଷୀଙ୍କ ଦାବି ପୂରଣ ନ ହେଲେ ଜିଲା ବନ୍ଦ କରିବା ନେଇ ଚାଷୀ ମହାସଂଘ ତରଫରୁ ଆଲୋଚନା ସରିଛି। ଫଳରେ ଜିଲାରେ ଆଇନ ଶୃଙ୍ଖଳା ବ୍ୟାଘାତ ହେବାର ସମ୍ଭାବନା ରହିଛି। ଜିଲା ପ୍ରଶାସନ ତରଫରୁ ଚାଷୀ ମାନଙ୍କୁ ବୁଝାସୁଝା କରିବାରେ ଲାଗିଛନ୍ତି। ଜିଲା ପ୍ରଶାସନ କୌଣସି ପ୍ରକାର ସନ୍ତୋଷଜନକ ପଦକ୍ଷେପ ନେଇନଥିବାରୁ ଚାଷୀମାନେ ରାତିରେ ଜାଡ ଶୀତ କାକରରେ ମଧ୍ୟ ଆନ୍ଦୋଳନ ଜାରୀ ରଖିଛନ୍ତି।
ଝରିଗାଁ ବସ୍ଷ୍ଟାଣ୍ଡରେ ଚାଷୀମାନେ ଧାନ, ମକା ରଖି ଧାରଣା ଦେଇଥିଲେ। ଆନ୍ଦୋଳନର ଦିତୀୟ ଦିନରେ ପୋଲିସ ବିଭାଗର ଅତିରିକ୍ତ ଏସପି ଆଦିତ୍ୟ ସେନ, ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା ଆନ୍ଦୋଳନକାରୀମାନଙ୍କୁ ରାସ୍ତା ଘାଟ ବନ୍ଦ ନ କରିବା ପାଇଁ କହିଥିଲେ। ଯେତେ ଦିନ ପର୍ଯ୍ୟନ୍ତ ଚାଷୀଙ୍କ ହକ୍ ମିଳିବ ନାହିଁ, ସେତେଦିନ ପର୍ଯ୍ୟନ୍ତ ରାସ୍ତା ଘାଟ ବନ୍ଦ ରହିବ ବୋଲି ଆନ୍ଦୋଳନକାରୀମାନେ କହିଥିଲେ।
ମକା ନବରଙ୍ଗପୁର ଜିଲାର ୩ ବ୍ଲକ ଝରିଗାଁ, ଉମରକୋଟ ଏବଂ ରାଇଘରରୁ ହିଁ ଅଧୂକ ଚାଷ ହେଉଛି। ଏବେ ଯାଏ କିନ୍ତୁ ଚାଷୀଙ୍କ ପାଇଁ ସରକାର ମକା ମଣ୍ଡି ଖୋଲି ପାରିଲେ ନାହିଁ। ଫଳରେ ଚାଷୀ ଠିକ ଦରରେ ମକା ବିକ୍ରି କରିପାରୁ ନାହାନ୍ତି। ସେହିପରି ଜଙ୍ଗଲ ଜମି ପଟ୍ଟା ପାଇଥିବା ଚାଷୀମାନଙ୍କୁ ଚାଷ ସକାଶେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ରାସାୟନିକ ସାର ପ୍ରଦାନ କରିବା ସହ ଚାଷ ସକାଶେ ଋଣ ପ୍ରଦାନ ଏବଂ ଜଙ୍ଗଲ ଜମି ପଟ୍ଟାରେ ଚାଷ କରିଥିବା ଧାନ ଓ ମକା ବିକ୍ରି କରିବା ନେଇ ମଣ୍ଡି କାର୍ଡ ପ୍ରଦାନ କରାଯାଉ ବୋଲି ଚାଷୀମାନେ ଆନ୍ଦୋଳନରେ ବସି ରହିଛନ୍ତି।
ସେହିପରି ଚାଷୀମାନେ କୁଇଣ୍ଟାଲ ପିଛା ୫ ଶହରୁ ୬ଶହ ଟଙ୍କା କ୍ଷତି ସହିବାକୁ ପଡୁଛି। ଏଠାରେ ମୁଖ୍ୟମନ୍ତ୍ରୀ ମକା ମିଶନ କାର୍ଯ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ଚାଷୀମାନେ କହିଛନ୍ତି । ସେହିଭଳି ଗତବର୍ଷ ନଭେମ୍ବର ସୁଦ୍ଧା ଧାନ ମଣ୍ଡି ଖୋଲାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏଥିରେ ବିଳମ୍ବ ହୋଇଛି। ବର୍ତ୍ତମାନ ସୁଦ୍ଧା ଧାନ କ୍ରୟ କରିବା ପାଇଁ ମିଲ ମାଲିକଙ୍କ ସହ ଚୁକ୍ତିନାମା ସ୍ବାକ୍ଷର କରାଯାଇପାରିନାହିଁ। ଫଳରେ ଧାନ ମଣ୍ଡି ପାଇଁ କୌଣସି ଟାର୍ଗେଟ ଆସିନାହିଁ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।
ସେହିପରି ଜିଲାରେ ସାର କଳା ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଉ। ସମସ୍ୟାର ସମାଧାନ ନ ହେଲେ ଜିଲାବ୍ୟାପୀ ଆନ୍ଦୋଳନ ଜୋରଦାର କରାଯିବ ସହ ବୋଲି ଚେତାବନୀ ଦିଆଯାଇଛି। ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍ ନିଆଁ ଜଳିବ ବୋଲି ପୂର୍ବତନ ଏମ୍ପି ପ୍ରଦୀପ ମାଝୀ ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily


