ମୁଖ୍ୟମନ୍ତ୍ରୀ, ବିଚାରପତିଙ୍କୁ ପୋଷ୍ଟ କାର୍ଡ ପଠାଇଲେ ଚାଷୀ

କୋକସରା,୧୪ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପି-ପାସ୍‌ ପୋର୍ଟାଲ ଖୋଲିବା ଓ ପଞ୍ଜୀକରଣ ଦାବିରେ କୋକସରା କୃଷକ ସଚେତନ ମଞ୍ଚର ସଭାପତି ଚାଷୀନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ଅଞ୍ଚଳର ଶତାଧିକ ଚାଷୀଙ୍କ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କୁ ପୋଷ୍ଟ କାର୍ଡ ପଠାଇଛନ୍ତି।

ସୂଚନାଯୋଗ୍ୟ ଯେ, ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷ କରିଥିବା କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ଚାଷୀଙ୍କ ପାଇଁ ପି-ପାସ୍‌ ପୋର୍ଟାଲରେ ବିକଳ୍ପ ଆସି ନ ଥିବାରୁ ଚାଷୀମାନେ ନିଜ ନାମ ପଞ୍ଜୀକରଣ କରିପାରି ନାହାନ୍ତି। ଏହାକୁ ନେଇ ଆନ୍ଦୋଳନ କରି ପ୍ରତିବାଦ ଜଣାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯାହାକୁ ନେଇ ଚାଷୀ ସଂଘ ପକ୍ଷରୁ କୋକସରାଠାରେ ଗତ ୭ଦିନ ହେଲା ଗଣଧାରଣା ଦିଆଯାଇଛି।

କୋକସରା କୃଷକ ସଚେତନ ମଞ୍ଚ ପକ୍ଷରୁ ସରକାରଙ୍କ ଉଦାସୀନତାକୁ ଦେଖି ଏକ ଅଭିନବ ପ୍ରୟାସ କରାଯାଇଛି। କୋକସରା ପୋଷ୍ଟ ଅଫିସ ନିକଟରେ ଅଞ୍ଚଳର ଚାଷୀମାନେ ଏକତ୍ରିତ ହୋଇ ଦାବି ସମ୍ପର୍କରେ ଉଲ୍ଲେଖ କରି ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ପୋଷ୍ଟ କାର୍ଡ ପଠାଇଛନ୍ତି। ଏହି ଅଭିଯାନରେ ମଞ୍ଚର ସଭାପତି ଶିବ ପ୍ରସାଦ ପ୍ରଧାନୀଙ୍କ ସମେତ ଗୋବର୍ଦ୍ଧନ ବାଗ, ମିନକେତନ ପ୍ରଧାନୀ, ଘନଶ୍ୟାମ ନାଏକ, ପ୍ରକାଶ ଚୌଧୁରୀ, ମନିଜର ପୋଡ଼, ଭୁବନେ ମାଝୀ, ହରେକୃଷ୍ଣ ନାଏକ, ହେମନ୍ତ ପ୍ରଧାନୀ, ସୁବାସ ଗହୀର, ବିଜୟ କୁମାର ସାହୁ, ନାରାୟଣ ପ୍ରଧାନୀ ପ୍ରମୁଖ ସାମିଲ ହୋଇଥିଲେ।

Share