ଏଯାଏ ମିଳିନି ଇନ୍‌ପୁଟ ସବ୍‌ସିଡି: ଜିଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୦।୧୦: ବରଗଡ଼ ଜିଲାରେ ଗତ ୨୦୧୯ ରବିଋତୁରେ କୁଆପଥର ବୃଷ୍ଟି ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ସେତେବେଳେ କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ଫସଲକ୍ଷତି ମଧ୍ୟ ସ୍ପଷ୍ଟ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍‌ପୁଟ ସବ୍‌ସିଡି ତଥା କ୍ଷତିପୂରଣ ମିଳିପାରି ନାହିଁ। ଏହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ି ଚାଲିଛି। ଏହି କ୍ରମରେ ମଙ୍ଗଳବାର ଜୟ କିଶାନ ଆନ୍ଦୋଳନର ନେତୃତ୍ୱରେ ଚାଷୀମାନେ ସଂଗଠିତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କ୍ଷତିପୂରଣ ଦାବିରେ ବିକ୍ଷୋଭ ଶୋଭାଯାତ୍ରା ସହିତ ସହର ପରିକ୍ରମା କରି ବରଗଡ଼ ସହର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଏଥିରେ ଚାଷୀନେତା ଲିଙ୍ଗରାଜ, ଶିବ ପ୍ରସାଦ ପ୍ରଧାନ, ହର ବଣିଆ, ରମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଉଛନ୍ତି।