ପଦ୍ମପୁରରେ କୃଷି ବିଲ୍‌ ବିରୋଧରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୩୦।୧୦: କୃଷି ବିଲକୁ ନେଇ ସାରାଦେଶରେ ବିରୋଧର ସ୍ବର ଉଠିଛି। ଏହି କ୍ରମରେ ଶୁକ୍ରବାର ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତି ଆହ୍ବାନରେ ବରଗଡ଼ ଜିଲା ପଦ୍ମପୁର ଗୋରୁ ମାର୍କେଟ ପରିସରରେ କୃଷକ ଚେତାବନୀ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ସକାଳୁ ବହୁସଂଖ୍ୟକ ଚାଷୀ ଗୋରୁ ମାର୍କେଟ ପରିସରରେ ସମବେତ ହୋଇଥିଲେ। ସେଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ପଦ୍ମପୁର ପରିକ୍ରମା ସହିତ ପୁଣି ଗୋରୁ ମାର୍କେଟକୁ ଫେରିଥିଲେ। ଅନୁଷ୍ଠିତ ସମାବେଶ ସଭାରେ ପଶ୍ଚିମ ଓ କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ଅଶୋକ ପ୍ରଧାନ, ରାଜବୋଡାସମ୍ବର କୃଷକ ସଂଗଠନର ବାଞ୍ଛାନିଧି ନାୟକ, ଚାରପାଲି ପଞ୍ଚାୟତ କୃଷକ ସଂଗଠନର ବିଜୟ ସାହୁ, ଜୟ କିଶାନ ଆନ୍ଦୋଳନର ସୁଶିଲ ସାହୁ, ରମେଶ ମହାପାତ୍ର, ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ନୂତନ କୃଷି ବିଲ୍‌ ଚାଷୀଙ୍କ ହିତ ପାଇଁ ନୁହେଁ,ଏହି ବିଲ ଦ୍ବାରା ପୁଞ୍ଜିପତି ତଥା ବିଭିନ୍ନ ଘରୋଇ କମ୍ପାନୀ ଲାଭ ଉଠାଇବେ ଏବଂ ଚାଷୀମାନେ ପୂର୍ବାପେକ୍ଷା ଆହୁରି ଅଧିକ ଲୁଣ୍ଠିତ, ଶୋଷିତ ହେବେ ବୋଲି ସେମାନେ ଅଭିଯୋଗ କରିଥିଲେ। ଫଳରେ ଏହି ବିଲ ବିରୋଧରେ ସମସ୍ତ ଚାଷୀ ସଂଗଠିତ ହୋଇ ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସମାବେଶରେ ଆହ୍ବାନ କରାଯାଇଥିଲା। ଏହି ଅବସରରେ ସମାବେଶରେ ଦୁଇ ସାମାଜିକ କର୍ମୀ ଦିବସ କୁମାର ସାହୁ ଏବଂ ଦୀପା ବାରିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।