Categories: ଜାତୀୟ

କୃଷକଙ୍କ ଆନ୍ଦୋଳନ: ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବର ଭାଜପା ନେତା

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚାଲିଥିବାବେଳେ ପଞ୍ଜାବର ବରିଷ୍ଠ ଭାଜପା ନେତାଙ୍କ ଏକ ଦଳ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି। ଏଥିରେ ପଞ୍ଜାବର ଭାଜପା ମୁଖ୍ୟ ଅଶ୍ୱିନୀ କୁମାର ଶର୍ମା, କେନ୍ଦ୍ର ମନ୍ତ୍ରୀ ସୋମ ପ୍ରକାଶ, ସୁରଜିତ ଜ୍ୟାନି ଓ ହରଜୀତ ଗରଓ୍ବୋଲ ସାମିଲ ଥିଲେ। ସେମାନେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପଞ୍ଜାବ ନେତାମାନେ ବର୍ତ୍ତମାନ ଚାଲିଥିବା ଆନ୍ଦୋଳନ ସ୍ଥଳର ପରିସ୍ଥିତି ସମ୍ପର୍କରେ ରାଜନାଥଙ୍କୁ ଅବଗତ କରାଇଥିବା ବିଶ୍ୱାସ କରାଯାଉଛି।

ଦୁଇ ସପ୍ତାହରୁ ଅଧିକ ଦିନ ହେଲା ହଜାର ହଜାର କୃଷକ ଦିଲ୍ଲୀ-ହରିୟାଣାର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି। ନୂଆ କୃଷି ବିଲ କାର୍ଯ୍ୟକାରୀ ହେଲେ ଏମ୍‌ଏସ୍‌ପି ଓ ମଣ୍ଡି ବ୍ୟବସ୍ଥା ଦୁର୍ବଳ ହୋଇଯିବ ବୋଲି ସେମାନେ ଦାବି କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଅନୁସାରେ ନୂଆ ଆଇନ ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇବ।

Share