Categories: ଜାତୀୟ

କୃଷକ ମହାପଞ୍ଚାୟତ: ଜନ୍ତର-ମନ୍ତରରୁ ସିନ୍ଧୁ ବର୍ଡର ପର୍ଯ୍ୟନ୍ତ ପୋଲିସ ଛାଉଣି

ନୂଆଦିଲ୍ଲୀ,୨୨ ।୮: ସଂଯୁକ୍ତ କୃଷକ ମୋର୍ଚ୍ଚା ସୋମବାର ଦିଲ୍ଲୀର ଜନ୍ତର-ମନ୍ତରରେ କୃଷକ ମହାପଞ୍ଚାୟତର ଘୋଷଣା କରିଛି । ଏହି ମହାପଞ୍ଚାୟତରେ ଯୋଗ ଦେବାକୁ ଦେଶର ବିଭିନ୍ନ ରାଜ୍ୟରୁ କୃଷକ ଜନ୍ତର-ମନ୍ତରରେ ପହଞ୍ଚୁଛନ୍ତି । କିନ୍ତୁ ଏହାକୁ ଦିଲ୍ଲୀ ପୋଲିସ ଅନୁମତି ଦେଇ ନାହିଁ । କୃଷକ ମହାପଞ୍ଚାୟତକୁ ଦେଖି ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ବିଶେଷ କରି ସିନ୍ଧୁ ବର୍ଡର ଓ ଗାଜିପୁର ବର୍ଡରରେ ପୋଲିସ ସୁରକ୍ଷାକୁ ବଢାଇ ଦିଆଯାଇଛି । ଦିଲ୍ଲୀ-ମେରଠ ଏକ୍ସପ୍ରେସ ୱେରେ ପୋଲିସ ମୁତୟନ କରାଯାଇଛି । ଏହାସହ ନୂଆ ଦିଲ୍ଲୀର ସମସ୍ତ ଅଞ୍ଚଳରେ ଧାରା ୧୪୪ ଜାରି କରାଯାଇଥିବା କହିଛନ୍ତି ଡିସିପି ।
କୃଷକ ମହାପଞ୍ଚାୟତକୁ ନେଇ ଦାବି ରହିଛି ଯେ ଲଖିମପୁର ଖେରି ମାମଲାରେ ପୀଡ଼ିତ କୃଷକ ପରିବାରକୁ ନ୍ୟାୟ ମିଳୁ । ଜେଲରେ ବନ୍ଦ ଥିବା କୃଷକଙ୍କୁ ମୁକ୍ତ କରାଯାଉ । ଲଖିମପୁର ଖେରି ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କୁ ଗିରଫ କରାଯାଉ, ସ୍ୱାମୀନାଥନ ଆୟୋଗର ସି୨ପ୍ଲସ୫୦ପ୍ରତିଶତ ଫର୍ମୁଲା ଅନୁଯାୟୀ, ଏମଏସପିର ଗ୍ୟାରେଣ୍ଟି ଆଇନ କରାଯାଉ, ଦେଶର ସମସ୍ତ କୃଷକଙ୍କୁ ଋଣ ମୁକ୍ତ କରାଯାଉ । ଏମିତି ଆହୁରି କିଛି ଦାବି ନେଇ ବି କୃଷକ ମହାପଞ୍ଚାୟତର ଆୟୋଜନ କରାଯାଇଛି ।

Share