ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ ତାହା ଅସମାହିତ ରହିଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ଥମିବାର ନାଁ ନେଉ ନାହିଁ । ଏହି କ୍ରମରେ ସୋମବାର ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଆହ୍ବାନକ୍ରମେ ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ୮ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସଙ୍ଗଠନ ନେତୃତ୍ୱରେ ଶତାଧିକ ଚାଷୀ ସ୍ଥାନୀୟ ଗାନ୍ଧୀଛକରେ ସମବେତ ହୋଇଥିଲେ। ସେଠାରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରି ଥିଲେ। ସେମାନେ ପହଞ୍ଚିବା ପୂର୍ବରୁ ପୋଲିସ ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଦେଇଥିଲା। ଫଳରେ ଚାଷୀମାନେ ସେମାନଙ୍କର ଦାବି ନେଇ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିଭିନ୍ନ ନାରାବାଜି କରିଥିଲେ। ସେହିପରି ଜିଲାପାଳ କାର୍ଯ୍ୟାଳୟ ଆଗରେ ଜୟ କିଷାନ ଆନ୍ଦୋଳନର ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ପ୍ରତିବାଦ ସଭାରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କହିଥିଲେ, ଧାନ ବିକ୍ରି ବ୍ୟବସ୍ଥାରେ ସରକାର ଲଗାତର ଭାବରେ ବିଭିନ୍ନ ପ୍ରକାରର ନୀତି ପ୍ରଣୟନ କରୁଛନ୍ତି, ଯାହା ଚାଷୀମାନଙ୍କ ବିରୋଧରେ ଯାଉଛି। ଗତ ଖରିଫ ଋତୁରେ ମୋହନ ସରକାର ପଞ୍ଜୀକରଣ ସମୟରେ ନୂଆଁ କରି ବଂଶାବଳୀ ଆଇନ ଲାଗୁ କଲେ। ଚଳିତବର୍ଷ ପୁଣି ପଞ୍ଜୀକରଣ ସମୟରେ ଏଗ୍ରୀଷ୍ଟାକ୍‌କୁ ବାଧ୍ୟତାମୂଳକ କରାଯାଇଥିଲା। ଚାଷୀମାନଙ୍କ ଆନ୍ଦୋଳନ ପରେ ସରକାର ବାଧ୍ୟ ହୋଇ ତାକୁ ସ୍ଥଗିତ କଲେ। ସେହିଭଳି ଦେବୋତ୍ତର, ଆଟ ସାଧାରଣ ଏବଂ ଜଙ୍ଗଲ ଜମିକୁ ପଞ୍ଜୀକରଣରୁ ବାଦ୍‌ ଦେବା ପାଇଁ ସରକାର ଯୋଜନା କରୁଛନ୍ତି। ସରକାର ପଞ୍ଜୀକରଣର ସମୟସୀମାକୁ କ’ଣ ପାଇଁ ଅତି ସୀମିତ କରୁଛନ୍ତି ବୋଲି ଲିଙ୍ଗରାଜ ପ୍ରଶ୍ନ କରିଥିଲେ। ଓଡ଼ିଶାର ସମସ୍ତ ଚାଷୀଙ୍କ ଜମିଜମା ବନ୍ଦୋବସ୍ତ କରି ହକ୍‌ଦାର ଚାଷୀକୁ ଜମି ମାଲିକାନା ନ ଦେବା ଯାଏ ଏଗ୍ରୀଷ୍ଟାକ ବ୍ୟବସ୍ଥାକୁ ଆଦୌ ଲାଗୁ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ବୋଲି ସେ କହିଥିଲେ। ଲିଙ୍ଗରାଜ ଆହୁରି କହିଥିଲେ, ପଡ଼ୋଶୀ ଛତିଶଗଡ଼ରେ ପଞ୍ଜୀକରଣ ୪ମାସ ବ୍ୟାପୀ କରୁଛନ୍ତି। ସେହିପରି ଓଡ଼ିଶା ଉଭୟ ଖରିଫ ଓ ରବି ଋତୁରେ ମୋଟ ୯୩ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରୁଥିବା ବେଳେ ଛତିଶଗଡ଼ରେ କେବଳ ଖରିଫ ଋତୁରେ ପ୍ରାୟ ୧୫୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରୁଛନ୍ତି। ଧାନ ସଂଗ୍ରହର ଏହି ହିସାବକୁ ଅନୁଧ୍ୟାନ କଲେ ଓଡ଼ିଶା ସରକାର ଚାଷୀଙ୍କଠାରୁ କିପରି କମ ଧାନ ସଂଗ୍ରହ କରିହେବ, ସେଥିପାଇଁ ବିଭିନ୍ନ ପ୍ରକାରର ମସୁଧା ଓ ଷଡ଼ଯନ୍ତ୍ର କରୁଛନ୍ତି। ଏପରି ଷଡ଼ଯନ୍ତ୍ରରୁ ସରକାର କ୍ଷାନ୍ତ ରୁହନ୍ତୁ ଅନ୍ୟଥା ସାରା ପଶ୍ଚିମ ଓଡ଼ିଶାରେ ଚାଷୀମାନଙ୍କ ଅସନ୍ତୋଷ ଭୟଙ୍କର ରୂପ ଧାରଣା କରିବ ବୋଲି ଲିଙ୍ଗରାଜ ଚେତାବନୀ ଦେଇଥିଲେ। ପ୍ରତିବାଦ ସଭା ପରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସ୍ମାରକପତ୍ରରେ ଜମିଜମା ବନ୍ଦୋବସ୍ତ ସ୍ପଷ୍ଟ ଓ ପୂର୍ଣ୍ଣାଙ୍ଗ ନ ହେବା ପର୍ଯ୍ୟନ୍ତ ଏଗ୍ରୀଷ୍ଟାକକୁ ଲାଗୁ ନ କରିବା, ଚାଷୀ ପଞ୍ଜୀକରଣ କରିଥିବା ସମସ୍ତ ଜମିର ଏକକାଳୀନ ଟୋକନ ପ୍ରଦାନ, ପଞ୍ଜୀକରଣର ସମୟସୀମାକୁ ସୀମିତ ନ କରି ପର୍ଯ୍ୟାପ୍ତ ସମୟ ଦେବା ଓ ଚଳିତ ଖରିଫ ଋତୁରେ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ପଞ୍ଜୀକରଣର ଅବଧିକୁ ବୃଦ୍ଧି କରିବା, ପ୍ରତି ପଞ୍ଚାୟତ ସ୍ତରରେ କ୍ୟାମ୍ପ କୋର୍ଟ କରି ଯୁଦ୍ଧକାଳୀନ ଭିତ୍ତିରେ ଜମିଜମା ବନ୍ଦୋବସ୍ତ କରି ସମସ୍ତ ଚାଷୀଙ୍କୁ ପଟ୍ଟା ପ୍ରଦାନ କରିବା, ଚକବନ୍ଦୀ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି। ଏହା ସହିତ ବିଭିନ୍ନ ପ୍ରକାରର ଡାଲି ଓ ତୈଳ ଜାତୀୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ସୁନିଶ୍ଚିତ କରିବା ସହିତ ବଜାର ବ୍ୟବସ୍ଥା କରିବା, ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି(ଡିଏଲପିସି)କୁ ପୂର୍ବବତ କ୍ଷମତାସମ୍ପନ୍ନ କରିବା, ଦେବୋତ୍ତର ଜମି ପଞ୍ଜୀକରଣ କରି ଟୋକନ ପ୍ରଦାନ କରିବା ଆଦି ପ୍ରମୁଖ ଦାବି ସ୍ମାରକପତ୍ରରେ ରହିଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟ କିଷାନ ଆନ୍ଦୋଳନର ସାଧାରଣ ସମ୍ପାଦକ ହର ବଣିଆଁ, ଶିବ ପ୍ରସାଦ ପ୍ରଧାନ, ଚଞ୍ଚଳ ପ୍ରଧାନ, ମହେଶ୍ବର ପ୍ରଧାନ, ସୁରେନ୍ଦ୍ର ମେହେର, ଭଞ୍ଜନ ବାରିକ, ଅକ୍ଷୟ ପ୍ରଧାନ, ବିଶ୍ବନାଥ ରଣା, କ୍ଷମାନିଧି ସାହୁ, ଅରୁଣ ପ୍ରଧାନ, କୁନା ବେହେରା, ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ ।

 

Dharitri – Odisha’s No.1 Odia Daily

 

Share