କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି। ବ୍ଲକର କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଗତ ଶୁକ୍ରବାର ସ. ମାଲପଡ଼ା ଓ ରିଞ୍ଜା ମଣ୍ଡି ଠାରେ ରବି ଧାନମଣ୍ଡି ଉଦ୍ଘାଟନ ହେବା ପରେ ଟୋକନ ପାଇ ସ.ମାଲପଡ଼ା ଗ୍ରାମର ଚାଷୀ ଗଜପତି ସାହୁ ୪୫ କ୍ୱିଣ୍ଟାଲ, ମହନ ସାହୁ ୬୬ କ୍ୱିଣ୍ଟାଲ, କୃତ୍ତିବାସ ସାହୁ ୩୨କ୍ୱିଣ୍ଟାଲ, ସାଧୁ ସାହୁ ୪୪ କ୍ୱିଣ୍ଟାଲ, ଫୁଲବାବୁସାହୁ ୧୫ କ୍ୱିଣ୍ଟାଲ, ଭଗବାନ ସାହୁ ୩୮ କ୍ୱିଣ୍ଟାଲ, ସଂଘମିତ୍ର ସାହୁ ୭୫ କ୍ୱିଣ୍ଟାଲ, ପଦ୍ମଲୋଚନ ସାହୁ ୨୬ କ୍ୱିଣ୍ଟାଲ, ଅର୍ଜୁନ ସାହୁ ୬୫ କ୍ୱିଣ୍ଟାଲ ଓ ପୁଟିଗାଁ ଚାଷୀ ରତ୍ନାକର ବଗର୍ତ୍ତୀ ୩୦ କ୍ୱିଣ୍ଟାଲ, ଲୋକେଶ ବଗର୍ତ୍ତୀ ୩୦ କ୍ୱିଣ୍ଟାଲ, ଡମ୍ବରୁ ସାହୁ ୭୨ କ୍ୱିଣ୍ଟାଲ ଧାନ ମଣ୍ଡିରେ ପକେଇଛନ୍ତି। ତେବେ ଧାନ ଉଠିବାରେ ବିଳମ୍ବ ହେଉଥିବା ଯୋଗୁ ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ଚାଷୀମାନେ ବୁଧବାର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର, ନର୍ଲା ବିଧାୟିକା, ଜିଲାପାଳ କଳାହାଣ୍ଡି, ତହସିଲଦାର କର୍ଲାମୁଣ୍ଡା ଓ ବିଡିଓ କର୍ଲାମୁଣ୍ଡାଙ୍କୁ ମିଲର୍ସମାନେ କ୍ୱିଣ୍ଟାଲ ପ୍ରତି ୮କେଜି କଟନି ପାଇଁ ଦାବି କରୁଥିବା ନେଇ ଲିଖିତ ଅଭିଯୋଗ କରିବା ସହ ଧାନ ଶୀଘ୍ର ଉଠାଇବା ଦିଗରେ ପଦକ୍ଷେପ ନେବାକୁ ଜଣାଇଥିବା ବିଜେଡି ବ୍ଲକ ସଭପତି ଯଶୋବନ୍ତ ସାହୁ କହିଛନ୍ତି। ଠିକ୍ ସେହଭଳି ରିଶିଡା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ତେରେସିଙ୍ଗା ଧାନମଣ୍ଡିଠାରେ ୨୪ ଜଣ ଚାଷୀଙ୍କ ୧୪୦୦ କ୍ୱିଣ୍ଟାଲ ଧାନ ପଡ଼ିରହିଥିବା ବେଳେ ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଖୋଲା ଯାଇଥିବା ରେଗଡା, ବିଜାପାଟି,ଯୋରାଡବରା ମଣ୍ଡିଗୁଡ଼ିକରେ ଚାଷୀଙ୍କ ଧାନ ପଡ଼ି ରହିଥିବା ଜଣାପଡ଼ିଛି। ଏନେଇ ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଦେବରାଜ ରଣାଙ୍କୁ ପଚାରିବାରୁ ବୁଧବାର ଗୋଟିଏ ଟ୍ରିପ୍ ଧାନ ଉଠିଥିଲେ ହେଁ ଗୁରୁବାର ଧାନ ଉଠି ନ ଥିବା କହିଛନ୍ତି। ଏନେଇ କର୍ଲାମୁଣ୍ଡା ବ୍ଲକ ଦାୟିତ୍ୱ ଥିବା ଖାଉଟି ଯୋଗାଣ ଅଧିକାରୀ ସ୍ମୃତି ରଞ୍ଜନ ଜେନାଙ୍କୁ ଯୋଗାଯୋଗ କରିଥଲେ ହେଁ ସେ ଫୋନ୍ ରିସିଭ୍ କରିଥିବାରୁ ତାଙ୍କର ମତାମତ ନିଆଯାଇପାରିନାହିଁ।