ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ ଏକ ଚେକ୍ ଡ୍ୟାମ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଆନ୍ଦୋଳନରେ ପତ୍ରାପାଲି ଗ୍ରାମର ଚାଷୀ ବିଷ୍ଣୁ ଶଗଡ଼ିଆ, ଭଗତରାମ ଶଗଡ଼ିଆ, ହଜାରୁ ଶଗଡ଼ିଆ, ରୂପଧର ଶଗଡ଼ିଆ, ଭଗବାନ ଶଗଡ଼ିଆ, ହେମସାଗର ଶଗଡ଼ିଆ, ଅନ୍ତ୍ରୁ ଶଗଡ଼ିଆ, ବିଘ୍ନୁ ଶଗଡ଼ିଆ, ଗୌର ଶଗଡ଼ିଆ, ରାଜକୁମାର ଶଗଡ଼ିଆ ଏବଂ ମେନକାମୁଣ୍ଡା ଗ୍ରାମର ଡମ୍ବରୁଧର ଛତ୍ରିଆ, ବିରଞ୍ଚି ସାହୁ, ରାମ ସାହୁ, କୈଳାଶ ସାହୁ ପ୍ରମୁଖ ସାମିଲ ଥିଲେ। ଏପରିକି ତାଙ୍କ ସହ ନିରାଶ ଶଗଡ଼ିଆ, ହିରା ଶଗଡ଼ିଆ, ପତି ଶଗଡ଼ିଆ, ରୁକ୍ମଣୀ ଶଗଡ଼ିଆ, ରତ୍ନି ଶଗଡ଼ିଆ ଆଦି ମହିଳା ମଧ୍ୟ ସାମିଲ ଥିଲେ l
ସୂଚନା ଯୋଗ୍ୟ, ୩ ମାସ ହେବ କ୍ଷୁଦ୍ର ଜଳ ସେଚନ ବିଭାଗ ଦ୍ୱାରା ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ପତ୍ରାପାଲି ନିକଟ ଅଙ୍ଗ ନଦୀ ଶଗଡ଼ିଆ ଘାଟରେ ଏକ ଚେକ ଡ୍ୟାମ ନିର୍ମାଣ କରାଯାଉଛି l ସରକାରୀ ନିୟମ ଅନୁସାରେ କାର୍ଯ୍ୟସ୍ଥଳରେ ସୂଚନା ଫଳକ ରହିବା କଥା l ହେଲେ ସେଠାରେ କୌଣସି ପ୍ରକାର ସୂଚନା ଫଳକ ନାହିଁ l କାର୍ଯ୍ୟଟି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଚେକ୍ ଡ୍ୟାମ ଯେଉଁ ଶଗଡ଼ିଆ ଘାଟରେ ନିର୍ମାଣ ଚାଲିଛି ସେହି ରାସ୍ତା ଦେଇ ଉକ୍ତ ଦୁଇ ଗ୍ରାମର ଚାଷୀମାନେ ନିଜନିଜ ଜମିକୁ ଯିବା ଆସିବା କରୁଥିଲେ। ସେଠାରେ ଏକ ରାସ୍ତା ନିର୍ମାଣ କରିବାକମୁ ଚେକ୍ ଡ୍ୟାମ ଭୂମି ପୂଜନ ଦିନ ସମ୍ପୃକ୍ତ ଚାଷୀମାନେ ବିଭାଗୀୟ କର୍ମଚାରୀ ଏବଂ କାମ କରୁଥିବା ଠିକାଦାରଙ୍କୁ ଅନୁରୋଧ କରିଥିଲେ।
ସେତିବିବେଳେ କାଳେ ଚାଷୀମାନେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଦେବେ ଚିନ୍ତା କରି ରାସ୍ତା ନିମାଣ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ l ହେଲେ ଏବେ କାମ ସରିବାକୁ ବସିବା ବେଳକୁ ଚାଷୀମାନେ ରାସ୍ତା ନିର୍ମାଣ ପାଇଁ କହିଲେ ରାସ୍ତା ହୋଇ ପାରିବ ନାହିଁ ବୋଲି କୁହାଯାଉଛି।
ଫଳରେ ଚାଷୀମାନେ ପ୍ରାୟ ୪୦ ଏକର ଜମିରେ ଚାଷ କରିବାକୁ ବଞ୍ଚିତ ହେବେ। ଆବଶ୍ୟକ ସ୍ଥଳେ ଚେକ୍ ଡ୍ୟାମ ନିର୍ମାଣ ନ କରି ଚେକ ଡ୍ୟାମର ଆଗକୁ ଏବଂ ପଛକୁ ଦୁଇ ଗୋଟି ଚେକ ଡ୍ୟାମ ରହିଥିଲେ ମଧ୍ୟ କେଉଁ ସ୍ବାର୍ଥରେ ସେଠାରେ ଆଉ ଏକ ଚେକ୍ ଡ୍ୟାମ ନିର୍ମାଣ କରାଯାଉଛି ବୋଲି ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି।
ଏପରିକି ନିର୍ମାଣ କାମ ମଧ୍ୟ ଠିକ ନ ଥିବାବେଳେ ଠିକାଦାର ରାତିରେ କାମ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି l ଏନେଇ କନିଷ୍ଠ ଯନ୍ତ୍ରୀ ନୁଏଲ ମୁଣ୍ଡା ଏବଂ ଏଇଇ ଏମ୍ଡି ମହକିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ରିସିଭ କରୁ ନ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ l ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଘଟଣାର ତଦନ୍ତ କରିବା ସହ କାମର ମାନ ଯାଞ୍ଚ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।