ଉଦ୍ୟାନ କୃଷି ପାଇଁ ଚାଷୀ ମାନସିକତା ବଦଳିବା ଆବଶ୍ୟକ

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଉଦ୍ୟାନ କୃଷିରେ ଅଳ୍ପ ଜମିରେ ଅଧିକ ଲାଭ ପାଇବାର ସୁଯୋଗ ରହିଛି। ତେଣୁ ଚାଷୀମାନେ ଅଧିକରୁ ଅଧିକ ଉଦ୍ୟାନ କୃଷି ଭିତ୍ତିକ ଚାଷ ଓ ଅର୍ଥକରୀ ଫସଲ କରିବା ନିମନ୍ତେ ମାନସିକତାରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଜିଲାର ଉଦ୍ୟାନ କୃଷି ଅଧିକାରୀମାନେ ଅନ୍ୟ ଆନୁଷଙ୍ଗିକ ବିଭାଗର ଅଧିକାରୀଙ୍କ ସହିତ ନିୟମିତ ବୈଠକ ଆୟୋଜନ କରି ସମନ୍ବିତ କୃଷି ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ଉଚିତ। ଶୁକ୍ରବାର କୃଷି ଭବନଠାରେ ଆୟୋଜିତ ଉଦ୍ୟାନ କୃଷି ଅଧିକାରୀଙ୍କ ସମୀକ୍ଷା ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ଏହା କହିଛନ୍ତି। ସେ କହିଲେ, ରାଜ୍ୟରେ ଉଦ୍ୟାନ କୃଷିର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଫସଲର ବିବିଧୀକରଣ କରାଯାଇ ସ୍ଥାନୀୟ ଅଞ୍ଚଳର ମୃତ୍ତିକା ଓ ଜଳବାୟୁ ଅନୁକୂଳ ଫଳ, ପନିପରିବା ଆଦି ଚାଷ କରାଯାଇ ଚାଷୀଙ୍କ ଆୟକୁ ବହୁଗୁଣିତ କରାଯାଇପାରିବ। ଏ ଦିଗରେ ଉଦ୍ୟାନ କୃଷି ଅଧିକାରୀମାନେ ବ୍ୟାପକ ସଚେତନତା ସୃଷ୍ଟି କରନ୍ତୁ। ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକମାନେ ଆଗାମୀ ୩ ମାସର କାର୍ଯ୍ୟଖସଡ଼ା ଓ ଜିଲା ନିମନ୍ତେ ୩ ବର୍ଷର ଯୋଜନା ପ୍ରସ୍ତୁତ କରି ବିଭାଗକୁ ପଠାଇବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦଶର୍ନ କରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ କଡ଼ାକଡ଼ି ତଦାରଖ କରିବା ପାଇଁ ମନ୍ତ୍ରୀ କହିଛନ୍ତି।
ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଯୋଗଦେଇ ଅଧିକରୁ ଅଧିକ ଉଦ୍ୟାନ କୃଷି କ୍ଲଷ୍ଟର ଏବଂ ଚାରା ଉତ୍ପାଦନ ନିମନ୍ତେ ଅଧିକ ନର୍ସରି ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ। ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ଉଦ୍ୟାନକୃଷି ଉପନିର୍ଦ୍ଦେଶକ, ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକମାନେ ଯୋଗଦେଇଥିଲେ।