ତାତିଲେ ଚାଷୀ: ଏଫସିଆଇ କାର୍ଯ୍ୟାଳୟ ଘେରାଉ

କେସିଙ୍ଗା,୨୫।୧୧(ଡି.ଏନ୍‌.ଏ.): ୩ ଦଫା ଦାବି ନେଇ କଳାହାଣ୍ଡି ଜିଲା କେସିଙ୍ଗା ଏଫ୍‌ସିଆଇ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଆନ୍ଦୋଳନ କରାଯାଇଛି। ପଛୁଆ ଅଞ୍ଚଳ ବିକାଶ ପରିଷଦ ସଭାପତି ସାମନ୍ତ ଖମାରୀଙ୍କ ନେତୃତ୍ୱରେ ଜିଲାର ଶତାଧିକ ଚାଷୀ ଯୋଗଦେଇ ଏଫସିଆଇ କାର୍ଯ୍ୟାଳୟ ଘେରାଉ କରିଛନ୍ତି। କେସିଙ୍ଗା ଆମ୍ବାଜି ମନ୍ଦିରରୁ ଚାଷୀମାନେ ଏକ ଶୋଭାଯାତ୍ରାରେ ବାହାରି ଏଫ୍‌ସିଆଇ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ୩ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଫ୍‌ସିଆଇର ମ୍ୟାନେଜରଙ୍କୁ ପ୍ରଦାନ କରିଥିଲେ। ଦାବିଗୁଡିକ ମଧ୍ୟରେ ଧାନର ସର୍ବନିମ୍ନ କୁଇଣ୍ଟାଲ ପ୍ରତି ମୂଲ୍ୟ ୩୦୦୦ ଟଙ୍କାକୁ ବୃଦ୍ଧି, କପାର ସର୍ବନିମ୍ନ କୁଇଣ୍ଟାଲ ପ୍ରତି ମୂଲ୍ୟ ୧୨୦୦୦ ଟଙ୍କା କରାଯାଇ ସମସ୍ତ ଚାଷୀଙ୍କୁ ବିମା ଅନ୍ତର୍ଭୁକ୍ତ କରି ଠିକ୍‌ ସମୟରେ ପ୍ରାପ୍ୟପ୍ରଦାନ ଆଦି ଦାବି କରାଯାଇଛି। ଏହି ଆନ୍ଦୋଳନରେ ଭବାନୀପାଟଣା ମ୍ୟୁନିସିପାଲିଟିର ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, କେସିଙ୍ଗା ନଗରପାଳ ନୃପରାଜ ଯାଦବ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତ ପ୍ରମୁଖ ଉପସ୍ଥିତ ଥିଲା।