ବୀମାରାଶି ଲାଗି ତେଜିଲା ଚାଷୀ ଆନ୍ଦୋଳନ: ଅଟକାଇଲେ ଏମ୍‌ପିଙ୍କ ଗାଡ଼ି

ପାଟଣାଗଡ଼,୨୯।୧୦ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାପାଟଣାଗଡ ବ୍ଲକ ଏକ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ। ୨୦୧୯-୨୦ ଖରିଫ ଋତୁରେ ମଧ୍ୟ ଏଠାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ୨୦୧୯-୨୦ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପାଟଣାଗଡ଼ ବ୍ଲକର ଅଧିକାଂଶ ଚାଷୀ ଫସଲ ବୀମା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଜିଲାର ଅନ୍ୟ ବ୍ଲକର ପଞ୍ଚାୟତକୁ ଫସଲ ବୀମାରାଶି ପ୍ରଦାନ କରାଯାଇଥିଲେ ମଧ୍ୟ ପାଟଣାଗଡ଼ ପଞ୍ଚାୟତ ସମିତିର ଅନେକ ପଞ୍ଚାୟତକୁ ବୀମାରାଶି ପ୍ରଦାନ କରାଯାଇନାହିଁ। ଏହାକୁ ନେଇ ଗୁରୁବାର ପାଟଣାଗଡ଼ ବ୍ଲକର ଚାଷୀମାନେ ପାଟଣାଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ୫ ଦଫା ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ଦାବି ଗୁଡିକ ମଧ୍ୟରେ ୨୦୧୯-୨୦ର ଫସଲ ବୀମାରାଶୀ ଶୀଘ୍ର ପ୍ରଦାନ। ଅଞ୍ଚଳର ଚାଷୀମାନେ ଅନେକ ଦିନରୁ ବିଜୁ କୃଷକ ଯୋଜନାରେ ଗଭୀର କୂପ ଖନନ ପାଇଁ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରି ଟଙ୍କା ପଇଠ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ତାହାର ତୁରନ୍ତ ସମାଧାନ ଇତ୍ୟାଦି ରହିଛି। ଏଥିରେ ବହୁ ଚାଷୀ ଯୋଗ ଦେଇଥିଲେ।
ପରେ ପାଟଣାଗଡ଼ ବଲାଙ୍ଗୀର ମୁଖ୍ୟ ରାସ୍ତା ସରମୁହାଣଠାରେ ମଧ୍ୟ ଶତାଧିକ ଚାଷୀ ଏସବୁ ଦାବି ଉପସ୍ଥାପନ କରି ଦୀର୍ଘ ସମୟ ଧରି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହି ସମୟରେ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଉକ୍ତ ରାସ୍ତା ଦେଇ ଯିବା ସମୟରେ ତାଙ୍କୁ ମଧ୍ୟ ଚାଷୀ ମାନେ ଅଟକାଇଥିଲେ। ଚାଷୀ ଏବଂ ଏମ୍‌ପିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ କଥା କଟାକଟି ହୋଇଥିଲା। ପରେ ଏମ୍‌ପି ଗାଡି ନେଇ ଘଟଣାସ୍ଥାଳରୁ ପଳାଇ ଯାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ଆନ୍ଦୋଳନ ସ୍ଥଳରେ ପାଟଣାଗଡ଼ ତହସିଲଦାର ଡ. ପୁଷ୍ପାଞ୍ଜଳି ପଣ୍ଡା ପହଞ୍ଚି ଚାଷୀମାନଙ୍କୁ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା।